ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ସଂଧ୍ୟା ୫ରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ
ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଦ୍ବିପହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପରମ୍ପରା ଅନୁଯାୟୀ ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ଭିତରୁ ଜୟବିଜୟ ଦ୍ବାର ବନ୍ଦ କରାଯିବ। ଦତ୍ତ ମହାପାତ୍ର ସେବକ ବିଭିନ୍ନ ପ୍ରାକୃତିକ ରଙ୍ଗ ସହ ଭିତରେ ପ୍ରବେଶ କରିବେ।
ରତ୍ନ ସିଂହାସନ ଉପରକୁ ଯାଇ ସେମାନେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ଶ୍ରୀମୁଖ ସିଂହାର କରିବେ। ଏହି ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ମହାସ୍ନାନ, ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ରାତ୍ର ପହୁଡ଼ କରାଯିବ। ବନକଲାଗି ସମୟରେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରିପାରିବେ। ଅନ୍ୟପକ୍ଷରେ ଶ୍ରୀଜୀଉଙ୍କ ବନକଲାଗି ନୀତି ହେତୁ ଆଜି ଓ ୬ ତାରିଖ ଦୁଇ ଦିନ ପାଇଁ ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତ
ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ 'ବନକଲାଗି ନୀତି' କୁହାଯାଏ । ଏହି ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ 'ଦତ୍ତମହାପାତ୍ର' କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗ ପ୍ରସ୍ତୁତ କରିବା ଓ ବିଗ୍ରହଙ୍କ ମୁଖ ଶୃଙ୍ଗାର କରିବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ । ବଜାରରେ ମିଳୁଥିବା ରଙ୍ଗ 'ବନକଲାଗି ନୀତି'ରେ ବ୍ୟବହାର ହୁଏନାହିଁ । ମହାପ୍ରଭୁଙ୍କ ଲାଗି ଉଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତି ପାଇଁ ଭିତରବେଢାର ଉତ୍ତର ପାର୍ଶ୍ବରେ ଏକ ବିଶେଷ କୋଠରୀ ମଧ୍ୟ ରହିଛି । ଏହାକୁ ବନକଲାଗି ଘର କୁହାଯାଏ ।












Click it and Unblock the Notifications