ମକର ଚୌରାଶି ବେଶରେ ଦର୍ଶନ ଦେଲେ ମହାପ୍ରଭୁ: ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ, ମକରଚାଉଳ ଭୋଗ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ନୀତି । ମକର ଚୌରାଶି ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ।
ବର୍ଷକ ଯାକ ଅନେକ ନୀତିକାନ୍ତି ଓ ପର୍ବ ପର୍ବାଣୀ। ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ପାଳନ ହୋଇଥାଏ ମହାପ୍ରଭୁଙ୍କ ମକରନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ବାଦଶଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଆଜି ଶ୍ରୀଜିଉ ମକର ଚୌରାଶି ବେଶରେ ସଜେଇ ହୋଇଛନ୍ତି ।
କେମିତି ତିଆରି ହୁଏ ମକର ଚାଉଳ ?
ମକର ସଂକ୍ରାନ୍ତି ବେଳକୁ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ । ସେହି ନୂଆ ଧାନକୁ ପ୍ରସ୍ତୁତ ଅରୁଆ ଚାଉଳରେ ଏକ ଭୋଗ ପ୍ରସ୍ତୁତ କରାଯାଏ । ଯାହାକୁ ମକର ଚାଉଳ କୁହାଯାଏ । ସେଥିରେ ନୂଆଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର ଇତ୍ୟାଦିକୁ ମିଶ୍ରଣ କରାଯାଇଥାଏ । ଗୃହଦେବତା ଓ ଧାନଖଳାରେ ଏହାକୁ ଭୋଗ ଲଗାଯିବା ପରେ ପରସ୍ପରକୁ ଖୁଆଇ ଲୋକେ 'ମକର' ବସନ୍ତି । କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପିଠା ପ୍ରସ୍ତୁତ କରାଯାଇ ଦେବାଦେବୀଙ୍କ ପାଖରେ ଭୋଗ କରାଯାଇଥାଏ ।
ମହାପ୍ରଭୁଙ୍କ ମକର ଚୌରାଶୀ ବେଶ:
ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଛି । ମହାପ୍ରଭୂଙ୍କ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥିଲା । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଆରମ୍ଭ ହେବ ଉତ୍ତରାୟଣ ଗତି । ଏହି ଉତ୍ତରାୟଣ ସମୟ ଅତିବ ଶୁଭଙ୍କର । ଏହି ଅବସରରେ ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାଶି ବେଶରେ ସଜିତ ହୋଇଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ମକରବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳଚୂଳ ପ୍ରସ୍ତୁତ କରାଯାଇଥିବା ବେଳେ ବଡଓଡିଆ ମଠ ପକ୍ଷରୁ ରଙ୍ଗ ବେରଙ୍ଗର ବିଭିନ୍ନ ସୁବାଷିତ ପୁଷ୍ପ ଓ ତୁଳସୀ ଆଦିକୁ ନେଇ ସୁସଜ୍ଜିତ ମାଳ ଚୂଳ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଦିଆଯାଇଛି । ସେପଟେ ଗତକାଲି ରାତିରୁ କୁମ୍ଭାରପଡ଼ା ସ୍ଥିତ ଆଲାମଚଣ୍ଡୀ ମନ୍ଦିର ପକ୍ଷରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ମକର ଚାଉଳ ଭୋଗ ପାଇଁ ଏକ ପଟୁଆରରେ ଯାଇ ପାଞ୍ଚୋଟି ମକରତାଡ ଯୋଗାଇ ଦିଆଯାଇଛି ।

ମକର ସଂକ୍ରାନ୍ତି ଅବସରରେ ଆଜି ମହାପ୍ରଭୁଙ୍କ ମକରବେଶ ବା ମକରଚୌରାଶୀ ବେଶ ଅନୁଷ୍ଠିତ ହୋଇଛି । ମକରଚାଉଳ ଭୋଗ ମଧ୍ୟ କରାଯାଇଛି ।












Click it and Unblock the Notifications