Lok Sabha Election 2024: ବ୍ରହ୍ମପୁରରେ କିଏ ଛିଡ଼େଇବ କାହା ଲେଖା ? ଭୋଟରଙ୍କୁ କେମିତି ବୁଝାଇବେ ନେତା
Lok Sabha Election 2024: ସାରା ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ରହିଛି । ରାଜ୍ୟର ଅନେକ ଆସନରେ ଟପ୍ ପାଇଟ୍ ହେବାକୁ ଥିବା ବେଳେ ବେଶ୍ ରୁଚିପୂର୍ଣ୍ଣ ରହିଛି ବ୍ରହ୍ମପୁର ଲୋକସଭା ଆସନ । ବ୍ରହ୍ମପୁର ଆସନରେ ବଡ଼ ସରପ୍ରାଇଜ୍ ଦେଇଛି ବିଜେଡ଼ି । ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଜୋର ଧରିଛି ପ୍ରଚାର । ତେବେ, କାହାକୁ ସମର୍ଥନ କରିବେ ଜନତା, ଜନମତ ପ୍ରଭାବିତ କରିବାରେ କିଏ କେତେ ଦୂର ସମର୍ଥ ହେବେ, ତା ଉପରେ ରହିଛି ସମସ୍ତଙ୍କ ନଜର ।
ବ୍ରହ୍ମପୁର ଆସନ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଏପରିକି ନେତାମାନେ କର୍ମୀମହଲରେ ନିଜର ବଳ ଦେଖାଇ ଭୋଟରଙ୍କୁ ପ୍ରଭାବିତ କରିବା ଆରମ୍ଭ କରିଦେଲେଣି ।
ଏଥର ବିଜେପି ଆମଦାନୀ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ଦେଇଛି । ପ୍ରଦୀପ ବିଜେଡିରୁ ବହିଷ୍କାର ହେବା ପରେ ଛାଡି କିଛିଦିନ ତଳେ ବିଜେପିରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ଗୋପାଳପୁର ଆସନରୁ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ ।

ଅପରପକ୍ଷରେ ନିଜର ଗଡ଼ ବୋଲାଉଥିବା ବିଜେଡି ଭୃଗୁ ବକ୍ସିଙ୍କୁ ପ୍ରାର୍ଥୀ କରିଛି । ସେ ମଧ୍ୟ ବିଜେପିରୁ ଆମଦାନୀ ହୋଇଛନ୍ତି । ଗତ ଲୋକସଭା ନିର୍ବାଚନରେ ଭୃଗୁ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିଲେ । ସେହିଭଳି କଂଗ୍ରେସ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସର ମୁଖ୍ୟ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ।
ତିନି ଦଳର ପ୍ରାର୍ଥୀ ବର୍ତ୍ତମାନ ଭୋଟରଙ୍କ ମନ ଜିଣିବାରେ ବ୍ୟସ୍ତ । କିନ୍ତୁ କଥାଟି ହେଲା, ବିଜେଡ଼ି-ବିଜେପି ଦୁଇ ଦଳ ଆମଦାନୀ ନେତାଙ୍କ ଉପରେ ଭରସା କରିଛନ୍ତି । ଫଳରେ ଗୋଳମାଳ ହୋଇଛି ବ୍ରହ୍ମପୁର ଲୋକସଭା ଗଣିତ । ଭୋଟର କାହା ଆଡ଼କୁ ଢଳିବେ ନିଜେ ଦ୍ୱନ୍ଦ ଭିତରେ ରହିଛନ୍ତି । ଟିକେଟ୍ ହିସାବ ତ ବରାବର ହୋଇଛି । ଏବେ ରଣନୀତିର ଗଣିତ କଷୁଛନ୍ତି ଦଳ ।
ଗୋଟିଏ ପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୂର୍ବରୁ ବିଜେଡ଼ି ଟିକେଟ ରୁ ବିଧାୟକ ହୋଇଥିଲେ । ଏମିତିକି ବିଜେଡିରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅତି ନିକଟତମ ଲୋକଭାବେ ଜଣାଶୁଣା ଥିଲେ । 2019 ନିର୍ବାଚନରେ ସେ ବ୍ରହ୍ମପୁର ପାଇଁ ବିଜେଡ଼ିର ସେନାପତି ପାଲଟିଥିଲେ । ତେଣୁ, ଦଳର ରଣନୀତି ଠାରୁ ଆରମ୍ଭ କରି ଦୋଷ ଦୁର୍ବଳତା ସବୁ ବିଷୟରେ ସେ ବେଶ୍ ଅବଗତ ।
ଏଭଳି ସ୍ଥିତିରେ ବିଜେଡିର କମ୍ ଜୋରକୁ ପରଖି କେମିତି କ୍ଷମତା ଚକ୍ରବ୍ୟୂହ ଭାଙ୍ଗିବାକୁ ହେବ ତାହା ପ୍ରଦୀପଙ୍କୁ ଭଲ ଭାବେ ଜଣା । ଏହା ସହ ପ୍ରଦୀପଙ୍କୁ ଭିକ୍ଟିମ୍ ଦର୍ଶାଇ ଓଡିଆ ଅସ୍ମିତା କାର୍ଡ ଖେଳିଛି ବିଜେପି । ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେଡ଼ି ପାଇଁ କାମ କରିଛନ୍ତି ପ୍ରଦୀପ । ବିଜେଡିର ଶକ୍ତି ସାଙ୍ଗକୁ ଦୁର୍ବଳତା ବି ଭଲ ଭାବେ ଜାଣିଛନ୍ତି । ଏଥରର ନିର୍ବାଚନ ପ୍ରଦୀପଙ୍କ ପାଇଁ ବି ଅସ୍ଥିତ୍ୱର ଲଢେଇ । ତେଣୁ ସବୁ କୌଶଳ ଲଗାଇବେ ପ୍ରଦୀପ ।
ପ୍ରଦୀପଙ୍କ ଲେଖା ଛିଡ଼େଇବେ ତ ଭୃଗୁ !
ସେପଟେ ବିଜେଡି ମଧ୍ୟ ବିଜେପିରୁ ଆମଦାନୀ ନେତା ଭୃଗୁଙ୍କୁ ପ୍ରାର୍ଥୀ କରିଛି । ସେ ବିଜେପିରୁ ଗତ ଲୋକସଭା ପ୍ରାର୍ଥୀ ହୋଇଥିଲେ । କିନ୍ତୁ ବିଜେପିରେ ଟିକେଟ୍ ନ ପାଇବାରୁ ସେ ବିଜେଡ଼ିରେ ସାମିଲ ହୋଇଥିଲେ । ଏହା ପରେ ଦଳ ତାଙ୍କୁ ପ୍ରଦୀପଙ୍କୁ ମାତ୍ ଦେବାକୁ ମୈଦାନକୁ ଓହ୍ଲାଇଛି ।
ଗତ ଲୋକସଭା ନିର୍ବାଚନରେ 3 ଲକ୍ଷ 49 ହଜାର ପାଖାପାଖି ଭୋଟ୍ ହାତେଇ ପାରିଥିବା ଭୃଗୁଙ୍କର ମଧ୍ୟ ନିଜର ସଙ୍ଗଠନ ଭଲ ରହିଛି । ବିଜେଡ଼ି ଗଡ଼ କୁହାଯାଉଥିବା ଗଞ୍ଜାମରେ ସେ ଭଲ ଭୋଟ୍ ହାତେଇଥିଲେ । ଏମିତିକି ଗଞ୍ଜାମ ବିଜେଡିର ଗଡ ରହିଆସିଛି । ହିଞ୍ଜିଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ । ଏହା ସହ ଗତ ନିର୍ବାଚନରେ ଜିଲ୍ଲାର 13 ରୁ 12 ଟି ଆସନ ହାତେଇଥିଲା ବିଜେଡି ।
ଏମିତିକି ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ 7 ବିଧାନସଭା ଆସନରୁ ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି ଓ ଚିକିଟି ବିଜେଡି ହାତରେ ଅଛି । ମୋହନା କଂଗ୍ରେସ ଓ ପାରଳାଖେମୁଣ୍ଡି ଜିତିଥିଲା ବିଜେପି । 2009 ରୁ ବିଜେଡି ବ୍ରହ୍ମପୁର ଲୋକସଭା ଆସନ ହାତେଇ ଆସୁଛି । ଲୋକସଭା ଲଢେଇରେ ବିଜେଡିର ସଂଗଠନ ଭୃଗୁଙ୍କ ପାଇଁ ବଡ ବଳ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରୁଛନ୍ତି ।
ଦଳ ତ ମୈଦାନକୁ ନେତା ଛାଡ଼ିଦେଲା । ହେଲେ ଏଥର ଦଳବଦଳ ସହ ସମୀକରଣ ବଦଳିଛି । ପ୍ରଦୀପ ଓ ଭୃଗୁଙ୍କୁ ଗ୍ରାଉଣ୍ଡରେ ଉଭୟ ଦଳର ମୂଳ କର୍ମୀ ଓ ନେତା ନୁଆ ନେତାଙ୍କୁ ଗ୍ରହଣ କରିବା ଏତେ ସହଜ ନୁହେଁ । ଉଭୟ ବିଜେଡି ଓ ବିଜେପିରେ ବିଦ୍ରୋହ ହୋଇପାରେ । ତେଣୁ ପରିବର୍ତ୍ତିତ ସ୍ଥିତିକୁ ନିଜ ସପକ୍ଷରେ ଆଣିବା ସେତେ ସହଜ ହେବନି ।
କିନ୍ତୁ ତୃଣମୂଳ ସ୍ତରରେ କାମ କରୁଥିବା କର୍ମୀଙ୍କ ମୁଣ୍ଡରେ ଭାଳେଣି, କାହାକୁ ସମର୍ଥ କରିବେ ନିଜେ ଜାଣି ପାରୁନାହାଁନ୍ତି । ଭୋଟରଙ୍କୁ କଣ କହି କାହା ପାଇଁ ଭୋଟ୍ ମାଗିବେ ସେ ନେଇ ଚିନ୍ତାରେ କର୍ମୀ । ଦିନେ ଯାହା ବିରୋଧରେ ପ୍ରଚାର କରିଥିଲେ, ଏବେ ତାଙ୍କ ସମର୍ଥନରେ କେମିତି ମାଗିବେ ଭୋଟ୍ । ବ୍ରହ୍ମପୁର ଲୋକସଭାରେ ରାଜନୀତିଠୁ ଅଧିକ ବ୍ୟକ୍ତିଗତ ପ୍ରତିଶୋଧର ଲଢେଇ ହେଉଛି ।












Click it and Unblock the Notifications