Lok Sabha Election 2024: ଓଡ଼ିଶାରେ ବିଜେପି ୧୫ରୁ କମ୍ ଆସନ ଜିତିବାର ଚାନ୍ସ ନାହିଁ ବୋଲି କହିଲେ ଧର୍ମେନ୍ଦ୍ର
Lok Sabha Election 2024: ଆଉ କେଇଟା ମାସ ପରେ ଲୋକସଭା ନିର୍ବାଚନ । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିଜେପି ୧୫ ଲୋକସଭା ସିଟ୍ ଜିତିବ । ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି ଧର୍ମେନ୍ଦ୍ର ।
ଓଡ଼ିଶାରେ ଦଳର ଭୋଟ୍ କେତେ ପ୍ରତିଶତ ବଢ଼ିବ ଓ ଅତିକମ୍ରେ କେତେ ଆସନ ଜିତିବ ସେ ନେଇ କହିଛନ୍ତି ପ୍ରଧାନ । ସେ କହିଛନ୍ତି ଯେ, ଆଗାମୀ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ୧୫ ଆସନ ଜିତିବ । ଦଳର ଭୋଟ୍ ପ୍ରତିଶତ ମଧ୍ୟ ବୃଦ୍ଧି ହୋଇ ୪୫% ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ଧର୍ମେନ୍ଦ୍ର ।
ଏହି ଆକଳନ ଠିକ୍ ବୋଲି ସେ ବଳିଷ୍ଠ ଯୁକ୍ତି ମଧ୍ୟ ଦେଇଛନ୍ତି । ସାରା ଦେଶରେ ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ଓଡ଼ିଶାରେ ମଧ୍ୟ ମୋଦିଙ୍କ ଆପ୍ରୁଭାଲ ରେଟ୍ ୮୦ ପ୍ରତିଶତ ଥିବା ଧର୍ମେନ୍ଦ୍ର କହିଛନ୍ତି । ଆଉ ନିକଟରେ ତିନିଟି ରାଜ୍ୟରେ ସରକାର ଗଠନ କରି ମୋଦିଙ୍କ ନୀତି ପ୍ରତି ଲୋକଙ୍କ ଆସ୍ଥାର ସଂକେତ ମଧ୍ୟ ମିଳିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

୨୦୧୪ରେ ଦଳ ଗୋଟିଏ ଲୋକସଭା ଆସନରେ ଜିତିଥିବା ବେଳେ ୨୦୧୯ରେ ଏହା ୮ରେ ପହଞ୍ଚିଥିଲା । ଏଥର ୧୫ରୁ କମ୍ ଆସନ ଜିତିବାର ଚାନ୍ସ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
୨୦୧୪ ତୁଳନାରେ ୨୦୧୯ ରେ ଓଡ଼ିଶାରେ ବିଜେପିକୁ ଅଧିକ ଭୋଟ୍ ମିଳିଥିଲା । ୨୦୧୯ ରେ ବିଜେପିକୁ ଲୋକସଭା ଆସନରେ ୩୮ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ବିଜେଡି ପାଇଥିଲା ୪୨ ପ୍ରତିଶତ ।
ସେତବେଳର ମାତ୍ର ୪ ପ୍ରତିଶତର ବ୍ୟବଧାନକୁ ଏଥର ବିଜେପି ମାତ୍ ଦେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗୋଟିଏ ରାଜନୈତିକ ଦଳ କେବଳ କ'ଣ ଅନ୍ୟ ଦଳକୁ ଗାଳି ଦେଲେ ତାହାକୁ ରାଜନୈତିକ ପ୍ରତିଦ୍ୱନ୍ଦୀ କୁହାଯିବ ? ଆମେ ଆମ ନୀତିରେ ଅଛୁ । ଆଗାମୀ ବିଧାନସଭା ନିର୍ବାଚନରେ ଆମେ ୪୫ ପ୍ରତିଶତରୁ ଅଧିକ ଭୋଟ ଆଣିବୁ ଏବଂ ଲୋକସଭାରେ ୧୫ରୁ ଅଧିକ ସିଟ୍ ଜିତିବୁ ।












Click it and Unblock the Notifications