Get Updates
Get notified of breaking news, exclusive insights, and must-see stories!

ନିର୍ବାଚନକୁ ଆଉ ଅଳ୍ପ ଦିନ: ପ୍ରସ୍ତୁତ ହେଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ

ନିର୍ବାଚନକୁ ଆଉ ଅଳ୍ପ ଦିନ ରହିଲା। ଆସ୍ତେ ଆସ୍ତେ ସବୁ ପ୍ରସ୍ତୁତ ହେଲେଣି । ନେତାଠୁ ଆରମ୍ଭ କରି ଭୋଟର ସମସ୍ତେ ନିର୍ବାଚନ ପାଇଁ ହେଲେଣି ପ୍ରସ୍ତୁତ । ଆଉ ହାତରେ ମାତ୍ରେ ୮ ମାସ ସମୟ । ଆଉ ଯଦି ଆଗୁଆ ନିର୍ବାଚନ ହୁଏ ତେବେ ସମୟ ନାହିଁ କହିଲେ ଚଳେ ।

ଏହାରି ଭିତରେ ସଙ୍ଗଠନ ସଜାଡିବାକୁ ତିନି ଦଳ ସୁଦୃଢ଼ ହେଲେଣି । ବିଜେଡି, ବିଜେପି ଓ କଂଗ୍ରେସ ନିଜର ଦମ୍ ଦେଖାଇଲେଣି । ମାଳମାଳ ସଭା ବି ହେଉଛି । ପଞ୍ଚାୟତଠୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସବୁଠି କର୍ମୀଙ୍କ ଭିତରେ ବି ଉତ୍ସାହ ଦେଖିବାକୁ ମିଳୁଛି ।

ରାଜ୍ୟରେ ଏବେ ସବୁଠି ଶକ୍ତିଶାଳୀ ହେଉଛି ବିଜେଡି । ଟିମ୍ ନବୀନ ସବୁଠି ଆଗରେ । ଦକ୍ଷ ଶାସକ ସହିତ ନବୀନ ଲୋକଙ୍କ ହୃଦୟରେ ଘର କରି ନେଇଛନ୍ତି । ସବୁଠି ବିଜେଡି ଆଗରେ ରହିଛି । ଏପରିକି ଗତ ପଞ୍ଚାୟତ ନିର୍ବାଚନରେ ବି ବିଜେଡି ଭଲ ପ୍ରଦର୍ଶନ କରିଛି । ଏପରିକି ଗତ ଉପନିର୍ବାଚନରେ ବିଜେଡି ଏକତରଫା ମ୍ୟାଚ ଜିତିଥିଲା । ଆଉ ବିଭିନ୍ନ ସର୍ଭେ ବି ବିଜେଡି ସପକ୍ଷରେ ରହିଛି । ତେବେ ଲୋକସଭା ଆସନରେ ବିଜେଡି ୧୩, ବିଜେପି ୮ ଓ ଅନ୍ୟାନ୍ୟ ୧ ସିଟ୍ ପାଇବ ବୋଲି ଆକଳନ ହୋଇଛି ।

BJD_BJP_CONGRESS

ସେପଟେ ଗାନ୍ଧୀ ଜୟନ୍ତୀଠୁ ଆହୁରି ଶକ୍ତିଶାଳୀ ହେବ ବିଜେଡି । ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟ ସାରା ଲିଫ୍ ଲେଟ୍ ବାଣ୍ଟିବ ବିଜେଡି । ରାଜ୍ୟ ସରକାରଙ୍କ ୨୦ଟି ବିକାଶ ମୂଳକ ଯୋଜନାର ବାର୍ତ୍ତା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବ ଶାସକ ଦଳ । ଯେଉଁଥିପାଇଁ ବୈଠକ କରି ଯୋଜନା ପ୍ରସ୍ତୁତ କରିଛି ଦଳ । ଏହା ସହ ଅନ୍ୟାନ୍ୟ ପ୍ରମୁଖ ବିକାଶ ଯୋଜନା ନେଇ ଲୋକଙ୍କୁ ସଚେତନ କରିବ ଦଳ । ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗତକାଲି ହୋଇଥିଲା ।

ସେପଟେ ରାଜ୍ୟର ବିଭିନ୍ନ ୧୦୮ଟି ପ୍ରସଙ୍ଗକୁ ନେଇ ବିଜେଡି ସରକାର ବିରୋଧରେ ବିଜେପି ଚାର୍ଜସିଟ ପ୍ରସ୍ତୁତ କରିଛି । ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷା, ବିଜୁଳି ଦୁର୍ନୀତି, ଡେଙ୍ଗୁ ନିୟନ୍ତ୍ରଣରେ ସ୍ଵାସ୍ଥ୍ୟ ବିଭାଗର ଅପାରଗତା, କୃତ୍ରିମ ବନ୍ୟା, ନବ ଦାସ ହତ୍ୟା ପଛରେ ରହସ୍ୟ ଓ ଚାର୍ଜସିଟ୍ ସାର୍ବଜନୀନ, ଓଏସଏସସି, ଏଏସଓ , ଅତ୍ୟାବଶ୍ୟକ ସମଗ୍ରୀ ଦରଦାମ ବୃଦ୍ଧି, ଭୁବନେଶ୍ଵର ଉପକଣ୍ଠରେ ଜମି ଦୁର୍ନୀତି ଭଳି ୧୦୮ଟି ପ୍ରସଙ୍ଗରେ ଚାର୍ଜସିଟ ପ୍ରସ୍ତୁତ କରିଛି ବିଜେପି ।

ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଆରମ୍ଭ କରିଛି ଦଳ । ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣା ଏବଂ ବିକ୍ଷୋଭ ଚାଲିଛି । ତେଣୁ ପଞ୍ଚାୟତ, ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ ଦିଆଯିବ ବୋଲି କହିଛି ବିଜେପି । ଗତ ରବିବାର ବିଜେପିର କୋର୍ କମିଟି ବୈଠକ ହୋଇଥିଲା ।

୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୨୧.୯ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୩୮.୩୭ ପ୍ରତିଶତରେ ପହଞ୍ଚିଛି । ବିଜେପିର ସାଂସଦଙ୍କ ସଂଖ୍ୟା ମଧ୍ୟ ୮ ରେ ପହଞ୍ଚିଛି ।
୨୦୧୪ ଲୋକସଭାରେ ବିଜେଡିକୁ ୪୪.୮ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୯ରେ ହ୍ରାସ ପାଇ ୪୨.୭୬ ପ୍ରତିଶତରେ ପହଞ୍ଚିଥିଲା ।

୨୦୧୪ ଲୋକସଭାରେ ବିଜେପି ଓ ବିଜେଡି ମଧ୍ୟରେ ଭୋଟ ବ୍ୟବଧାନ ଥିଲା ୪୮ ଲକ୍ଷ ୬୪ ହଜାର ୧୨୭ । ହେଲେ ୨୦୧୯ ନିର୍ବାଚନରେ ବିଜେପି ବିଜେଡି ମଧ୍ୟରେ ଭୋଟ ଫରକ ମାତ୍ର ୧୦ ଲକ୍ଷ ୪୨ ହଜାର ୨୬୮ରେ ସୀମିତ ରହିଥିଲା ।

କଂଗ୍ରେସର ଭୋଟ ହାର ୨୦୧୪ ଲୋକସଭାରେ ୨୬.୪ ପ୍ରତିଶତ ଥିବା ବେଳେ ୨୦୧୯ରେ ୧୪.୭୩ ପ୍ରତିଶତକୁ ଖସି ଆସିଛି । ୧୯୯୫ରେ ବିଜେପିର ସ୍ଥିତି ଯାହା ଥିଲା । ଆଗାମୀ ଦିନରେ କଂଗ୍ରେସ ସେପରି ସ୍ଥିତି ହୋଇପାରେ ଆକଳନ ହେଉଛି । ତେଣୁ ଏଥର ଦ୍ଵିମୁଖି ଲଢେଇ ହୋଇପାରେ ।

କଂଗ୍ରେସ ମଧ୍ୟ ଆରମ୍ଭ କରିବାକୁ ଯାଉଛି ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ । ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୫ ଯାଏଁ ଚାଲିବ ଅଭିଯାନ । ପଦଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚିବ କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ ।

ତେବେ ବିଜେଡ଼ିକୁ ଛାଡ଼ି କଂଗ୍ରେସ ଓ ବିଜେପି ନିର୍ବାଚନ ପାଇଁ ଏତେଟା ପ୍ରସ୍ତୁତ ହୋଇ ନାହାନ୍ତି । ସଙ୍ଗଠନ ବି ଏତେ ସୁଦୃଢ଼ ହୋଇନି । ଗ୍ରାଉଣ୍ଡ ଲେବୁଲରେ ସଙ୍ଗଠନ ମଜବୁତ୍ ହୋଇପାରିନି । ଗୋଟେ ପଟେ ବିଜେଡି ରାଜ୍ୟର ସଫଳତା ନେଇ ଚାରିଆଡେ ବିକାଶ ହୋଇଥିବା ଦର୍ଷାଉ ଥିବା ବେଳେ ମୋଦୀ ସରକାରଙ୍କ ଉଲ୍ଲେଖନୀୟ କାର୍ଯ୍ୟ ନେଇ ବିଜେପି ପ୍ରଚାରର ମୁଦ୍ଦା କରିଛି । ଆଉ କଂଗ୍ରେସ ଉଭୟଙ୍କ ବିଫଳତାକୁ ଦର୍ଶାଉଛି ।

ତେବେ ଆଗକୁ କୋଉ ପାଣି କୁଆଡେ ଯାଉଛି । ନିର୍ବାଚନ ବୈତରଣୀ ପାର ପାଇଁ କିଏ କାହା ସାହାଯ୍ୟ ଲୋଡୁଛି ତାହା ଦେଖିବାକୁ ବାକି ରହିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+