ବଜ୍ରାଘାତ ନେଲା ୩ ଜୀବନ, ଏକାଧିକ ଆହତ ସୂଚନା
କାଳବୈଶାଖୀରୁ ବର୍ତ୍ତିବା ପାଇଁ ଆଈ-ନାତୁଣୀ ଓ ଗାଁର ଜଣେ ମହିଳା କୁଡ଼ିଆରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତର ଶିକାର ହୋଇଛନ୍ତି। ଭାଗ୍ୟ ଖରାପ ଥିବାରୁ ବଜ୍ରପାତ କୁଡ଼ିଆ ଉପରେ ହିଁ ପଡ଼ିଛି, ଯେଉଁଥିରେ କି ୨ଜଣଙ୍କର ମୃତ୍ୟୁ ଘଟିଛି। ଗଛ ତଳେ ଆଶ୍ରୟ ନେଇଥିବା ଅନ୍ୟ ଜଣେ ମହିଳା ମଧ୍ୟ ବଜ୍ରପାତର ଶିକାର ହୋଇଛନ୍ତି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅଧୀନ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ପର୍ଡିଗୁଡ଼ା ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ବୁଦ୍ରୀ ମାଣ୍ଡିଙ୍ଗା (୬୦), କସା ମାଣ୍ଡିଙ୍ଗା (୧୬) ଓ ଅମ୍ବିକା କାଶୀ (୩୫)।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ପରଡିଗୁଡା ଗାଁରେ ଆଜି ଦିନ ଦିପହରରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ବର୍ଷା ସମୟରେ ନିଜ ଧାନ ବିଲ ନିକଟରେ ଥିବା କୁଡ଼ିଆରେ ଆଈ-ନାତୁଣୀ ଓ ଗାଁର ଜଣେ ମହିଳା ଆଶ୍ରୟ ନେଇଥିଲେ। କିନ୍ତୁ ଏହି ସମୟରେ ତାଙ୍କ କୁଡ଼ିଆ ଉପରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ହିଁ ବୁଦ୍ରୀ ମାଣ୍ଡିଙ୍ଗା ଓ ତାଙ୍କ ନାତୁଣୀ କସା ମାଣ୍ଡିଙ୍ଗାଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଗାଁ ନିକଟରେ ଥିବା ବର୍ଷା ଯୋଗୁଁ ଗଛ ତଳେ ଆଶ୍ରୟ ନେଇଥିବା ଅମ୍ବିକା କାଶୀଙ୍କ ଉପରେ ମଧ୍ୟ ବଜ୍ରପାତ ପଡ଼ିବାରୁ ମୃତ୍ୟୁ ହୋଇଥିଲା।
ପର୍ଡ଼ିଗୁଡ଼ା ଗାଁରେ ବଡ଼ଧରଣର ବଜ୍ରପାତ ହୋଇଥିବାରୁ ଅନ୍ୟ ୪ ଜଣ ଆହତ ଅବସ୍ଥାରେ ରହିଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ପର୍ଡିଗୁଡ଼ାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।












Click it and Unblock the Notifications