ପୁରୀରେ ଆୟୋଜିତ ଲାଇଟ୍ହାଉସ ପର୍ଯ୍ୟଟନ ମହୋତ୍ସବ ଉଦ୍ଯାପିତ
ଭାରତରେ ଲାଇଟହାଉସ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ପକ୍ଷରୁ ୨ଦିନ ଧରି ପୁରୀରେ ଆୟୋଜିତ ଲାଇଟ୍ହାଉସ ପର୍ଯ୍ୟଟନ ମହୋତ୍ସବ ଉଦ୍ଯାପିତ ହୋଇଛି। ଏହି ଅବସରରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଓଡ଼ିଶାର ପର୍ଯ୍ୟଟନସ୍ଥଳୀଗୁଡ଼ିକ ମଧ୍ୟରେ ବତୀଘର ଗୁଡ଼ିକ ମଧ୍ୟ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ ପାଇବ।
ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସ୍ୟାଣ୍ଡ ଆର୍ଟ, ବୋର୍ଟ ଆର୍ଟ, ବିଚ୍ କ୍ଲିନ୍-ଅପ୍ ଡ୍ରାଇଭ୍, ଯୋଗ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି। ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫୁଡ୍ ଫେଷ୍ଟିଭାଲ୍ ଆଦିର ଆୟୋଜନ ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏସବୁ କାର୍ଯ୍ୟକ୍ରମ ଜରିଆରେ ପୁରୀର ବିଭିନ୍ନ ଆକର୍ଷଣୀୟ ସ୍ଥାନ ମଧ୍ୟରେ ବତୀଘର ମଧ୍ୟ ଯୋଡ଼ିହୋଇଯିବ। କେନ୍ଦ୍ର ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ଯୋଗୁଁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାରେ ଅବସ୍ଥିତ ବତୀଘରଗୁଡ଼ିକ ଏକ ପ୍ରମୁଖ ସ୍ଥାନ ଭାବେ ବିବେଚିତ ହେବ। ଏହା ନିଶ୍ଚିତ ଭାବରେ ଏକ ଅତ୍ୟନ୍ତ ଦୂରଦର୍ଶୀ ସମ୍ପନ୍ନ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଲ୍ଲେଖ କରିଛନ୍ତି।

ଏହି ଅବସରରେ ପାରାଦୀପ ବନ୍ଦରରେ ଦୁଇଟି ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରାଯାଇଛି। ପାରାଦୀପ ବନ୍ଦରରେ ମାଲ ପରିବହନର ସୁବିଧା ପାଇଁ ଗୋଟିଏ ଫ୍ଲାଇ-ଓଭର ଏବଂ ଚାରି ଲେନ୍ ବିଶିଷ୍ଟ ଏକ ସଡ଼କ ମଧ୍ୟ ନିର୍ମାଣ କରାଯାଇଛି। ଏହା ସହିତ କାର୍ଗୋ ହାଣ୍ଡଲିଙ୍ଗରେ ସୁବିଧା ପାଇଁ ଏହାର ଆଧୁନିକୀକରଣ ମଧ୍ୟ କରାଗଲା। ଏହାଦ୍ୱାରା ଘଣ୍ଟାକୁ ୩୦ ହଜାର ଟନ ଲୁହା ପଥର କାରବାର କରାଯାଇପାରିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ, ପାରାଦୀପ ବନ୍ଦରର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶଂସନୀୟ।
କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ ପାରାଦୀପ ବନ୍ଦରର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ପାରାଦୀପ ବନ୍ଦରରେ ଜାହାଜ ନିର୍ମାଣ ଓ ମରାମତି ପାଇଁ ଏକ କ୍ଲଷ୍ଟରର ବିକାଶ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଓଡ଼ିଶାର ୪୮୦ କିଲୋମିଟର ଉପକୂଳ ଅଞ୍ଚଳର ସମନ୍ୱିତ ବିକାଶ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ଏବଂ ବ୍ରାହ୍ମଣୀ ଓ ମହାନଦୀରେ କାର୍ଗୋ ପରିବହନ ପାଇଁ କେନ୍ଦ୍ର ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ସେ କହିଛନ୍ତି।












Click it and Unblock the Notifications