ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଆଜି ଶେଷକୃତ୍ୟ
ଘରେ ଘରେ ପରିଚିତ 'ଫୁର୍ରୁକିନା ଉଡ଼ିଗଲା ବଣି' ଗୀତର ଗୀତା ଆଉ ନାହାନ୍ତି। ତାଙ୍କ ଜୀବନପକ୍ଷୀ ଉଡ଼ିଯାଇଛି ଆରପାରିକୁ। ସ୍କୁଲପାଠ ସମୟରୁ ସିନେମାରେ ନାୟିକାଙ୍କ ପାଇଁ ସିଏ ଗୀତ ଗାଇଥିଲେ, ଜୀବନକାଳ ମଧ୍ୟରେ ପାଞ୍ଚ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆକାଶବାଣୀର 'ଟପ୍ଗ୍ରେଡ୍' କଣ୍ଠଶିଳ୍ପୀ, ଓଡ଼ିଶାର ପ୍ରଥମ ଏଲ୍ପି ରେକର୍ଡର ଗାୟିକା ଏବଂ ଅତି ପରିଚିତ 'ପେଟେଣ୍ଟ୍ ମେଡ଼ିସିନ୍' ରେକର୍ଡର ସେ ସୁଲୋଚନା। ଏହି କିମ୍ବଦନ୍ତୀ ଗାୟିକା ଗୀତା ପଟ୍ଟନାୟକ ଚିରନିଦ୍ରା ଯାଇଛନ୍ତି। କଟକ ମର୍କତନଗରର ଏକ ଘରୋଇ ହସ୍ପିଟାଲରେ ରବିବାର ତାଙ୍କର ୭୨ବର୍ଷ ବୟସରେ ପରଲୋକ ଘଟିଛି।

ଗୁରୁବାର ଭୁବନେଶ୍ୱରର ଏକ ସାହିତ୍ୟ ଆସରରେ ଅତିଥି ରୂପେ ଯୋଗ ଦେଇଥିଲା ବେଳେ ହଠାତ୍ ଅସୁସ୍ଥ ହୋଇ ଗୁରୁତର ଅବସ୍ଥାକୁ ଆସିଥିଲେ ଏବଂ ଭେଣ୍ଟିଲେଟରରେ ରଖି ତାଙ୍କ ଚିକିତ୍ସା ଚାଲିଥିଲା। ମସ୍ତିଷ୍କରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ସେ ସଂକଟାପନ୍ନ ସ୍ଥିତିରେ ଥିଲେ। ଅନ୍ତିମ ସମୟରେ ସ୍ୱାମୀ ଇଂ. କୃଷ୍ଣଗୋପାଳ ବାତ୍ରା, ସାନଭାଇ ପ୍ରାକ୍ତନ ପୁଲିସ ଅଧିକାରୀ ସାରଦାପ୍ରସନ୍ନ ପାତ୍ର, ପୁତୁରା ପରାଗ ପଟ୍ଟନାୟକଙ୍କ ସମେତ ଅନ୍ୟ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ବଡ଼ଭଉଣୀ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ପତ୍ନୀ ଇନ୍ଦିରାଙ୍କ ୫ମାସ ତଳେ ଦେହାନ୍ତ ପରେ ଗୀତା ମାନସିକସ୍ତରରେ ଦୁର୍ବଳ ହୋଇଯାଇଥିଲେ। ତାଙ୍କ ପାର୍ଥିବ ଶରୀର ଉକ୍ତ ଘରୋଇ ହାସପାତାଳରୁ ଆଜି କାଫଲା ବଜାରସ୍ଥିତ ବାସଭବନକୁ ଯିବ ଏବଂ ସତୀଚଉରାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।
ଗୀତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ବିୟୋଗ ଓଡ଼ିଶାର ସଙ୍ଗୀତ ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଗୀତାଙ୍କ ଆତ୍ମାର ସଦ୍ଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରାର୍ଥନା କରିଛନ୍ତି।
ପରିଚୟ ଦେଲା 'ଅଦିନ ମେଘ'
୧୯୫୪ ଡିସେମ୍ବର ୧୦ରେ ଜନ୍ମିତ ଗୀତା ପ୍ରଥମେ ରେଡ଼ିଓରୁ ଲତା ମଙ୍ଗେସକରଙ୍କ ଗୀତ ଶୁଣି ସଙ୍ଗୀତ ଦୁନିଆରେ ପ୍ରବେଶ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କଟକ ମହାନ୍ତିପଡ଼ା (କାଫ୍ଲା ବଜାର) ଝିଅ ଗୀତା ସନତ ନଳିନୀ ଗାର୍ଲ୍ସ ହାଇସ୍କୁଲରେ ପଢ଼ିଥିଲେ ଓ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରି କଲେଜ ପାଠ ସାରିଥିଲେ। ଗୁରୁ କ୍ଷିତୀଶ ମୈତ୍ରଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଲାଭ ପରେ ଆକାଶବାଣୀର ଶିଶୁସଂସାର ଓ କିଶୋରଚକ୍ରରେ ଗୀତଗାଇ ନିଜର ପରିଚୟ ଯୋଗାଡ଼ିଲେ। ଘରେ ମାଆ ଓ ମାଉସୀ ଥିଲେ ସଙ୍ଗୀତ ସାଧିକା; ସେମାନଙ୍କ ପୁରୁଣା ହାରମୋନିୟମ୍ ଧରି ନିଜେ ଗୀତ ଅଭ୍ୟାସ କରିବା ପରେ ଗଲେ କଳାବିକାଶ କେନ୍ଦ୍ର। ପହିଲେ ରଘୁ ନନ୍ଦ ପରେ ରାଖାଲ ମହାନ୍ତି ଏବଂ ତା'ପରେ ବାଳକୃଷ୍ଣ ଦାସଙ୍କଠାରୁ ଗୀତ ଶିଖିଲେ ଛଅବର୍ଷ। ଶେଷ ବର୍ଷ ବେଳକୁ ତାଙ୍କର ସ୍କୁଲରେ ଦଶମ ଶ୍ରେଣୀ ଓ ବୟସ ୧୫ ମାତ୍ର। ୧୯୬୯ରେ କଳାବିକାଶ କେନ୍ଦ୍ରର ପ୍ରତିଷ୍ଠାତା ବାବୁଲାଲ ଦୋଶୀ 'ଛାୟାବାଣୀ ପ୍ରତିଷ୍ଠାନ' ବ୍ୟାନରରେ ଓଡ଼ିଆ ସିନେମା 'ଅଦିନ ମେଘ' ତିଆରି କଲେ ଏବଂ ସେଥିରେ ଏକ କୋରସ୍ ଗୀତ 'ଏଇ ଆମରି ଗାଁ..'ର ଲିଡ୍ରେ ଗାଇଲେ ଗୀତା ଓ ଗୀତଟି ଥିଲା ନାୟିକା ଝରଣା ଦାସଙ୍କ ପାଇଁ। ସଙ୍ଗୀତ ନିର୍ଦେଶକ ଥିଲେ ବାଳକୃଷ୍ଣ ଦାଶ ଏବଂ ରିହର୍ସଲ ବେଳେ ଭେଟହେଲେ ଅକ୍ଷୟ ମହାନ୍ତି (ଖୋକାଭାଇ)। ୧୯୭୦ରେ ରିଲିଜ୍ ହେଲା 'ଅଦିନମେଘ' ଏବଂ ସେହିବର୍ଷ ମାଟ୍ରିକ୍ ପାସ୍ କରି ଗୀତା ଶୈଳବାଳା ମହିଳା କଲେଜ୍ରେ ପଢ଼ିଲେ।












Click it and Unblock the Notifications