'ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ଆଦିକବି ସାରଳା ଦାସ'
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକ ଠାରେ ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଆଦିକବି ସାରଳା ଦାସଙ୍କ ପ୍ରତି ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ଆଦିକବି ସାରଳା ଦାସ ମହାଭାରତ ରଚନା କରି ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଏହି ମହାନ କବିଙ୍କ ଜନ୍ମବାର୍ଷିକୀ ପାଳନ ଏବଂ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସେ 'ସାରଳା ସାହିତ୍ୟ ସଂସଦ'କୁ ପ୍ରଶଂସା କରିଛନ୍ତି।
ରାଷ୍ଟ୍ରପତି କହିଛନ୍ତି, ଆମର ବିବିଧତା ଏକ ଇନ୍ଦ୍ରଧନୁ ପରି। ଆମର ଏକତା ଯୁଗ ଯୁଗ ଧରି ବହୁତ ସୁଦୃଢ଼ ରହିଛି। ଆମର ଅନେକ ଭାଷା ଅଛି, କିନ୍ତୁ ଭାବନା ଗୋଟିଏ। ଏତେ ସଂଖ୍ୟକ ଭାଷା ଏବଂ ଧର୍ମକୁ ନେଇ ଭାରତ ଯେପରି ଭାବେ ଏକଜୁଟ ଏବଂ ସଦ୍ଭାବନାର ସହ ରହିଆସିଛି ତାହା ଦେଖି ବିଶ୍ୱ ଚକିତ ହୋଇଥାଏ।

ରାଷ୍ଟ୍ରପତି କହିଛନ୍ତି, ଭାରତୀୟ ଶିକ୍ଷା ପରମ୍ପରାକୁ ସମୃଦ୍ଧ କରିବାରେ ଭାରତୀୟ ଭାଷାଗୁଡ଼ିକର ବ୍ୟାପକ ଅବଦାନ ରହିଛି। ଜାତୀୟ ଶିକ୍ଷା ନୀତି ୨୦୨୦ରେ ମାତୃଭାଷାରେ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବା ଖୁସିର ବିଷୟ। ମାତୃଭାଷାରେ ଶିକ୍ଷା ପିଲାମାନଙ୍କୁ ସେମାନଙ୍କର ସଂସ୍କୃତି ଏବଂ ପରମ୍ପରା ସହିତ ଯୋଡ଼ିବାରେ ସହାୟକ ହେବ। ନିଜ ମାତୃଭାଷା ବ୍ୟତୀତ ଅନ୍ୟ ଭାଷା ମଧ୍ୟ ଶିଖିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।












Click it and Unblock the Notifications