କୃଷ୍ଣା ମହାନ୍ତି ରାଷ୍ଟ୍ରୀୟ ଗାନ୍ଧି ପୁରସ୍କାରରେ ସମ୍ମାନିତ
ଓଡ଼ିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତି କୃଷ୍ଣା ମହାନ୍ତି ପାଇଛନ୍ତି ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର। ରାଷ୍ଟ୍ରୀୟ ସ୍ତରରେ ଗାନ୍ଧୀ ଓ ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂଗଠନ ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ଶ୍ରୀମତି ମହାନ୍ତିଙ୍କୁ ୨୦୨୩ ବର୍ଷ ପାଇଁ ସମ୍ମାନଜନକ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଶ୍ରୀମତି ମହାନ୍ତିଙ୍କୁ ଅନୁଗୋଳସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାରରେ ଏକ ଲକ୍ଷ ଟଙ୍କାର ସମ୍ମାନ ରାଶି, ମାନପତ୍ର ତଥା ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ସହ ସେବାଗ୍ରାମ ଆଶ୍ରମରେ ପ୍ରାତଃଭ୍ରମଣରେ ଏକଦା ଯାଇଥିବା ବାଳିକା କୃଷ୍ଣାଙ୍କର ଏକ ତୈଳଚିତ୍ର ପ୍ରଦାନ କରାଯାଇଛି।

ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେବା ପରେ ଶ୍ରୀମତି କୃଷ୍ଣା ମହାନ୍ତି କହିଛନ୍ତି ଯେ, ଆଜି ଗଣତନ୍ତ୍ର ବିପଦରେ। ଦଳିତ, ମହିଳା ସମସ୍ତେ ଅତ୍ୟାଚାରର ଶିକାର ହେଉଛନ୍ତି। ସରକାର ମଦ ପ୍ରସାର ନୀତି ଆପଣେଇଛନ୍ତି। ଆଉ ଏ ଦେଶ କର୍ପୋରେଟ ଓ ଭ୍ରଷ୍ଟ ନେତାଙ୍କ ଦଖଲରେ ଥିବାବେଳେ ଗାନ୍ଧୀ ପୁରସ୍କାର ମୋ ପାଇଁ ଏକ ଆହ୍ଵାନ।
ସମ୍ମାନ ସମାରୋହରେ ଅଧ୍ୟକ୍ଷତା କରି ସର୍ବ ସେବା ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦନ ପାଲ କହିଛନ୍ତି ଯେ, କୃଷ୍ଣା ଅପାଙ୍କୁ ଏହି ସମ୍ମାନ ପ୍ରଦାନ କରି ସମଗ୍ର ସର୍ବୋଦୟ ପରିବାର ସମ୍ମାନିତ ହୋଇଛି। ସର୍ବୋଦୟ ଆନ୍ଦୋଳନକୁ ଦେଶବ୍ୟାପୀ ବ୍ୟାପକ କରିବାରେ କୃଷ୍ଣା ଅପାଙ୍କ ପରିବାରର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ବଡବାପା ଗୋପବନ୍ଧୁ ଚୌଧୁରୀ ସର୍ବ ସେବା ସଂଘର ପ୍ରତିଷ୍ଠାତା ସମ୍ପାଦକ, ବାପା ନବକୃଷ୍ଣ ଚୌଧୁରୀ, ବଡଭାଇ ମନମୋହନ ଚୌଧୁରୀ ଓ ଭିଣୋଇ ନାରାୟଣ ଦେଶାଇ ସଂଘର ସଭାପତି ଭାବରେ କାର୍ଯ୍ୟ କରିଥିଲେ।
ସେ ଆହୁରି କହିଛନ୍ତି, କୃଷ୍ଣା ଅପା ନିଜେ ସାଢେ ତିନି ବର୍ଷ ବୟସରେ ଇଂରେଜ ସରକାରର ଜେଲରେ ରହିଥିଲେ। ଭୂଦାନ ଗ୍ରାମଦାନ ଆନ୍ଦୋଳନ ହେଉ କି ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ, ଗାନ୍ଧୀ ସର୍ବୋଦୟ ଆନ୍ଦୋଳନର ସିପାହୀ ଭାବରେ କୃଷ୍ଣା ଅପାଙ୍କର ଭୂମିକା ଉଲ୍ଲେଖଯୋଗ୍ୟ। ଦଳିତ ଉତଥାନ ହେଉ କି ସାମ୍ପ୍ରଦାୟିକ ସଦଭାବ, ବାଜି ରାଉତ ଛାତ୍ରାବାସ ହେଉ କି ଉତ୍କଳ ଗାନ୍ଧୀ ସ୍ମାରକନିଧି ଜୀବନକୁ ବାଜି ଲଗାଇ କୃଷ୍ଣା ଅପା ସର୍ବୋଦୟ ସଂଗଠନଗୁଡିକୁ ସକ୍ରିୟ ରଖିଛନ୍ତି।












Click it and Unblock the Notifications