ଆନ୍ଧ୍ର ମ୍ୟାପରେ କୋଟିଆ: କୋଟିଆ ଗ୍ରାମପୁଞ୍ଜକୁ ନେଇ ଗଠନ ଆନ୍ଦ୍ର କଲା ନୂଆ ଜିଲ୍ଲା
କୋଟିଆକୁ ନେଇ ନୂଆ ଚାଲ ଚଳାଇଲା ଆନ୍ଧ୍ରପ୍ରଦେଶ। ଓଡ଼ିଶା କୋଟିଆର ୨୮ଟି ଗାଁକୁ ନିଜ ମାନଚିତ୍ରରେ ଆନ୍ଧ୍ରପ୍ରଦେଶ ସ୍ଥାନ ଦେଇଛି ।
ଭୁବନେଶ୍ୱର: କୋଟିଆକୁ ନେଇ ନୂଆ ଚାଲ ଚଳାଇଲା ଆନ୍ଧ୍ରପ୍ରଦେଶ । ପୂର୍ବରୁ ଭତ୍ତା, ଯୋଜନା, ନିଜ ଅଧିକାରୀଙ୍କୁ କୋଟିଆ ପଠାଉଥିବା ଆନ୍ଧ୍ର ଏଥର ନୂଆ ଷଡ଼ଯନ୍ତ୍ର ରଚିଛି। ଓଡ଼ିଶା କୋଟିଆର ୨୮ଟି ଗାଁକୁ ନିଜ ମାନଚିତ୍ରରେ ଆନ୍ଧ୍ରପ୍ରଦେଶ ସ୍ଥାନ ଦେଇଛି । ଗତକାଲି ୧୩ଟି ନୂଆ ଜିଲ୍ଲା ସୃଷ୍ଟି କରାଯାଇଥିବା ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ ଘୋଷଣା କରିଥିବା ବେଳେ ଏହି ୧୩ଟି ଜିଲ୍ଲାରେ କୋଟିଆର ଗ୍ରାମପୁଞ୍ଜ ଥିବା ଜଣାପଡ଼ିଛି।

ଏବେ ଆନ୍ଧ୍ରରେ ମୋଟ୍ ୨୬ ଜିଲ୍ଲା ହୋଇଛି। ଏଥିରେ ନୂତନ ଜିଲ୍ଲା ଭାବେ 'ମାନ୍ୟମ୍'କୁ ସ୍ଥାନ ଦିଆଯାଇଛି। ଆଉ ଏହି ମାନ୍ୟମ୍ ଜିଲ୍ଲାରେ ସାମିଲ ହୋଇଛି କୋଟିଆର ୨୮ଟି ଗାଁ ଓ ୧୨ଟି ପଡ଼ା।

ପୂର୍ବରୁ କୋଟିଆ ସୀମାକୁ ଲାଗି ରହିଥିବା ବିଜୟନଗର ଜିଲ୍ଲାକୁ ଭାଗ କରି ନୂଆ ଜିଲ୍ଲା ମାନ୍ୟତା ଦେଇ ମାନ୍ୟମ ବୋଲି ନାମକରଣ କରାଯାଇଥିଲା। ପୁରୁଣା ବିଜୟନଗର ଜିଲ୍ଲାର ପାର୍ବତୀପୁରମ ରାଜସ୍ବ ମଣ୍ଡଳ ଓ ଶ୍ରୀକାକୁଲମ୍ ଜିଲ୍ଲାର ପାଲାକୋଣ୍ଡା ରାଜସ୍ବ ମଣ୍ଡଳକୁ ନେଇ ଏହି ନୂଆ ଜିଲ୍ଲା ଗଠିତ ହୋଇଥିଲା। ଶ୍ରୀକାକୁଲମ ରାଜସ୍ବ ମଣ୍ଡଳ ଅଧୀନରେ କୋଟିଆ ଗ୍ରାମପୁଞ୍ଜ ରହିଥିବା ବେଳେ ଏହି ଗ୍ରାମପୁଞ୍ଜକୁ ଆନ୍ଧ୍ର ତିନୋଟି ପଞ୍ଚାୟତରେ ଭାଗ କରିଛି। କୋଟିଆରେ ରହିଥିବା ୨୮ଟି ରାଜସ୍ବ ଗାଁ ଓ ୧୨ ପଡା ଗାଁକୁ ମିଶାଇବାକୁ ଆନ୍ଧ୍ର ପ୍ରୟାସ ଜାରି ରଖିଥିବା ବେଳେ ଏହି ନୂଆ ଜିଲ୍ଲା ଗଠନ ପରେ ନୂଆ ପ୍ରଶାସନ ବି ସେହି କାମରେ ଲାଗିବ ବୋଲି କୁହାଯାଉଛି।
ଏବେ ମାନ୍ୟମ୍ ହେବା ପରେ ପାର୍ବତୀପୁରମ୍ ଏହାର ହେଡ୍କ୍ୱାର୍ଟର୍ସ ହେବ। ଫଳରେ କୋଟିଆରୁ ଏହାର ଦୂରତା ୬୦ କିଲୋମିଟରକୁ କମି ଆସିବ। ସରକାରୀ ଯୋଜନା ଓ ବ୍ୟବସ୍ଥାକୁ ଯେପରି ଓଡ଼ିଶା ସୀମାବର୍ତ୍ତି ଅଞ୍ଚଳକୁ ପହଞ୍ଚା ଯାଇ ପାରିବ ସେଥିପାଇଁ ଆନ୍ଧ୍ର ଏପରି କରିଥିବା ଚର୍ଚ୍ଚା ହେଉଛି।












Click it and Unblock the Notifications