ଆଜି ପବିତ୍ର ଶାମ୍ବ ଦଶମୀ, ଘରେ ଘରେ ପୂଜା ପାଉଛନ୍ତି ସୂର୍ଯ୍ୟଦେବ
Samba Dashami: ଆଜି ପବିତ୍ର ଶାମ୍ବ ଦଶମୀ । ପୌଷ ଶୁକ୍ଳ ଦଶମୀ ଦିନ ଶାମ୍ବ ଦଶମୀ ପାଳନ କରାଯାଏ । ପରମ୍ପରା ଅନୁସାରେ ଆଜି ସକାଳୁ ପ୍ରତ୍ୟେକ ଘରେ ସୂର୍ଯ୍ୟ ଦେବଙ୍କ ପୂଜର୍ଚ୍ଚନା କରାଯାଏ । ନିଜ ଛୁଆ ମାନଙ୍କୁ ନିରୋଗ ରଖିବା ପାଇଁ ମଧ୍ୟାହ୍ନ ଓ ଅପରାହ୍ନରେ ଲୋକେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବଙ୍କୁ ପୂଜା କରିଥାନ୍ତି ।
ତେବେ ଏହି ଦିନ ଅର୍ଥାତ ଶାମ୍ବଦଶମୀ ଦିନ କୋଣାର୍କରେ ଆପ୍ରସିଦ୍ଧ ସୂର୍ଯ୍ୟ ରଥ ବାହାରିବାର ପରମ୍ପରା ରହିଛି । ପୌରାଣିକ ମାନ୍ୟତା ରହିଛି କୋଣାର୍କରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଉପାସନା କରି ଦୁରାରୋଗରୁ ମୁକ୍ତି ପାଇଥିଲେ ।
ମା' ନିଜ ସନ୍ତାନସନ୍ତତିଙ୍କୁ ନିରୋଗ ରଖିବା ପାଇଁ ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ । ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି ।

ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି । ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ ।
ଶାମ୍ବ ଦଶମୀ ଦିନ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ଦିଆଯାଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଦିଆଯାଏ ।












Click it and Unblock the Notifications