କିଶୋର ଭାଇ ହୋଟେଲ: କାଲି ବିଏମସିର ଚଢାଉ ପରେ ଆଜି ଖୋଲା, ଖାଇବା ପାଇଁ ପ୍ରବଳ ଭିଡ଼
ଖାଦ୍ୟର ମାନ ଓ ସ୍ୱଚ୍ଛତା ଖରାପ ଥିବରୁ ଦୋକାନକୁ ଗତକାଲି ସିଲ୍ କରିଥିଲା ବିଏମସି । ମାତ୍ର ଆଜି ରାତି ପାହିଲା ବେଳକୁ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି ।
ଭୁବନେଶ୍ୱର: ରାଜଧାନୀ ତଥା ଅନେକ ଖାଦ୍ୟ ପ୍ରେମୀଙ୍କ ପାଖରେ ପରିଚିତ କିଶୋର ଭାଇନାଙ୍କ ମଟନ ଦୋକାନରେ କାଲି ପଡିଥିଲା ବିଏମସିର ରେଡ । ଖାଦ୍ୟର ମାନ ଓ ସ୍ୱଚ୍ଛତା ଖରାପ ଥିବରୁ ଦୋକାନକୁ ଗତକାଲି ସିଲ୍ କରିଥିଲା ବିଏମସି । ମାତ୍ର ଆଜି ରାତି ପାହିଲା ବେଳକୁ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି ।

ସବୁ ଦିନ ପରି ଆଜି ବି ଚଳଚଞ୍ଚଳ ହୋଇ ଉଠିଛି ଦୂରଦର୍ଶନ କେନ୍ଦ୍ର କଡ଼ରେ ଥିବା କିଶୋର ଭାଇନାଙ୍କ ମଟନ ଦୋକାନ । ପ୍ରସ୍ତୁତ ହୋଇଛି ହାଣ୍ଡି ହାଣ୍ଡି ମଟନ । ପୂର୍ବ ଦିନ ଭଳି ଆଜି ମଧ୍ୟ ମଟନ ନେବାକୁ ଦୋକାନରେ ଭିଡ଼ ଲଗାଇ ଖାଉଛନ୍ତି ଲୋକେ । ତେଣୁ ରାତାରାତି କିପରି ବିଏମସିର କଟକଣା ଉଠିଗଲା ନା ଏହା ପଛରେ ଆଉ କିଛି ଅଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏପଟେ ବିଏମସିର ଜଣେ ଅଧିକାରୀ କହିଛନ୍ତି ଯେ, ପୁଣି କିଶୋର ଭାଇନା ମଟନ ଦୋକାନରେ ହେବ ଚଢ଼ାଉ ।
ସୂଚନା ଅନୁସାରେ ବିଏମସିର ଫୁଡ ସେଫଟି ଟିମ ପକ୍ଷରୁ ଭୁବନେଶ୍ୱରର ରେଷ୍ଟୁରାଣ୍ଟ ଓ ହୋଟେଲଗୁଡିକ ଉପରେ ଚଢାଉ କରାଯାଇଥିଲା । ଦୂରଦର୍ଶନ କେନ୍ଦ୍ର ନିକଟ ହୋଟେଲଗୁଡିକ ଉପରେ ଏହି ଚଢାଉ ହୋଇଥିଲା । ଅସ୍ୱାସ୍ଥ୍ୟକର ପରିବେଶ, ଖାଦ୍ୟରେ ରଙ୍ଗ ମିଶାଇବା, ନିର୍ଧାରିତ ତାରିଖ ଚାଲିଯାଇଥିବା ସସ୍ ମିଶାଇବା ଅଭିଯୋଗରେ ସଂପୃକ୍ତ ଅଞ୍ଚଳରେ ଏହି ଚଢାଉ କରାଯାଇ ଫାଇନ କରାଯିବା ସହ ଅପମିଶ୍ରିତ ଖାଦ୍ୟକୁ ନଷ୍ଟ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ, ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନାଙ୍କ ମଟନ ଝୋଳ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ଖୁବ୍ ପ୍ରସିଦ୍ଧ। ଏଠାରେ ଦିନକୁ ୨୦୦ କେଜି ଖାସି ମାଂସ ରୋଷେଇ ହେଉଥିବା ବେଳେ ପ୍ରବଳ ଗହଳି ଜମେ। ଫୁଡ ବ୍ଳଗର ବିଭିନ୍ନ ସ୍ଥାନରେ ମିଳୁଥିବା ଭଲ ଖାଦ୍ୟର ଭିଡିଓ ପ୍ରସ୍ତୁତ କରି ସୋଶାଲ ମିଡିଆରେ ଛାଡ଼ୁଥିବା ବେଳେ କିଶୋର ଭାଇନାଙ୍କ ଉପରେ ମଧ୍ୟ ବହୁ ଭିଡିଓ ପ୍ରସ୍ତୁତ ହୋଇ ସାରିଛି।












Click it and Unblock the Notifications