ଖଲ୍ଲିକୋଟ ହତ୍ୟା ମାମଲା ; ତଦନ୍ତ କରିବ ଏସ୍ଆଇଟି
ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଖଲ୍ଲିକୋଟ ମର୍ଡର କେସ୍ର ତଦନ୍ତ କରିବ ବୋଲି ଜଣାପଡିଛି। ଏହି ସ୍ବତନ୍ତ୍ର ତଦନ୍ତକାରୀ ଦଳ ଅବଶିଷ୍ଟ ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରିବ। ଏଥିସହ ସାଇଣ୍ଟିଫିକ୍ ଫନେସିକ୍ ଓ ଡିଜିଟାଲ ଆଧାରରେ ଉପଯୁକ୍ତ ପ୍ରମାଣପତ୍ର ଏସ୍ଆଇଟି ସଂଗ୍ରହ କରିବା ସହ ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ। ଯଦ୍ୱାରା ମାମଲାର ଶୀଘ୍ର ଶୁଣାଣି ହୋଇପାରିବ। ଅତିରିକ୍ତ ଡିଜିପି ଆର୍କେ ଶର୍ମା ଗଞ୍ଜାମର ଛତ୍ରପୁରଠାରେ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିବେ ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ଶ୍ରୀକୃଷ୍ଣସରଣପୁର ଗ୍ରାମରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷରୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ ବିଜେପି ପୋଷ୍ଟର ମାରୁଥିବା ରାମ ପାହାନଙ୍କ ପୁଅ ଦିଲୀପ ଏବଂ ଜିତେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପ୍ରତିବାଦରେ ମୃତକଙ୍କ ପରିବାର ଲୋକଙ୍କ ସହିତ ବିଜେପି ପକ୍ଷରୁ ଗୁରୁବାର ଥାନା ଘେରାଉ କରାଯିବା ସହିତ ଥାନା ସମ୍ମୁଖ ରାସ୍ତା ଅବରୋଧ କରିଥିଲେ। ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଥିଲା।
ତେବେ ପୁଲିସ ରାସ୍ତା ଅବରୋଧକାରୀଙ୍କୁ ଉଠିଯିବାକୁ ବୁଝାଶୁଝା କରିଥିଲା। କିନ୍ତୁ କୌଣସି ଫଳ ନ ମିଳିବାରୁ ପୁଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଏବଂ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଲୋକେ ପୁଲିସ ଉପରକୁ ପଥର ଏବଂ ବୋତଲ ଫିଙ୍ଗିଥିଲେ। ଏଥିରେ ପୁଲିସ ଭ୍ୟାନ୍ କାଚ ଭାଙ୍ଗିବା ସହିତ କିଛି କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ସେହିପରି ପୁଲିସ ଲାଠିମାଡ଼ରେ କିଛି ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।












Click it and Unblock the Notifications