ଚନ୍ଦ୍ରଯାନ-୩ରେ ଯନ୍ତ୍ର ଖଞ୍ଜିଛନ୍ତି କେନ୍ଦ୍ରାପଡା ପୁଅ ଶୁଭାଶିଷ ନାୟକ, ଗର୍ବ କରୁଛି ସାରା ରାଜ୍ୟ
କେନ୍ଦ୍ରାପଡ଼ା: 'ଚନ୍ଦ୍ରଯାନ-୩ ଅଭିଯାନରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଛନ୍ତି ଶୁଭାଶିଷ ନାୟକ । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ମୁକୁନ୍ଦପୁର ଗ୍ରାମରେ । ତେବେ ସେଠି ଚନ୍ଦ୍ରୟାନ-୩ ମିଶନରେ ସାମିଲ ହେବା ଛୋଟିଆ ସଫଳତା ନୁହେଁ ।
ଶୁଭାଶିଷଙ୍କ ବାପା ବଡ଼ବାପା ଚାନ୍ଦୋଳ ବଜାରରେ ରାସନ ଦୋକାନ କରି ପରିବାର ଚଳାଉଥିବା ବେଳେ ସେ ସ୍ଥାନୀୟ ବନମାଳୀ ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ । ଜଣେ ଟେକ୍ନିସିଆନ୍ ହେବା ଲକ୍ଷ୍ୟରେ ପ୍ରଥମେ ୩ ବର୍ଷ ଆଇଟିଆଇ ପଢିବା ପରେ ସିଟିଟିସିରେ ତିନି ବର୍ଷ ପଢିଥିଲେ । ପରେ ଇସ୍ରୋରେ ନିଯୁକ୍ତି ପାଇବାରେ ସଫଳ ହୋଇଥିଲେ । ୨୦୧୮ ମସିହାରୁ ସେ ଇସ୍ରୋରେ କାର୍ୟ୍ୟରତ ଅଛନ୍ତି ।

ଚନ୍ଦ୍ରପୃଷ୍ଠକୁ ଉତ୍କ୍ଷେପଣ ହୋଇଥିବା ଏଲ୍ଭିଏମ୍-୩ ଫ୍ୟାଟ୍ବୟ ନିର୍ମାଣରେ ନିୟୋଜିତ ଥିବା ଟେକ୍ନିସିଆନ୍ ଟିମ୍ରେ ସେ ସାମିଲ ହୋଇଥିଲେ। ଚନ୍ଦ୍ରାୟନର ସଫଳ ଉତ୍କ୍ଷେପଣ ଓ ଏହାର ନିର୍ମାଣ ଟିମ୍ରେ ଶୁଭାଶିଷଙ୍କ ଯୋଗଦାନ ରହିଥିବା ଜଣାପଡ଼ିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ପରିବାରକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
ଚନ୍ଦ୍ରୟାନ-୩ରେ ଲାଗିଥିବା କେତେକ ଜଟିଳ ଯନ୍ତ୍ରାଶଂ ଭୁବନେଶ୍ୱରସ୍ଥିତ ସିଟିଟିସିରୁ ତିଆରି ହୋଇଥିବା ବେଳେ ଶୁଭାଶିଷ ମଧ୍ୟ ସେଇ ସିଟିଟିସିର ପୂର୍ବତନ ଛାତ୍ର । ଚନ୍ଦ୍ରୟାନ-ଥ୍ରୀ ପୂର୍ଣ୍ଣ ସଫଳତା ମନାସି ମୁକୁନ୍ଦପୁର ଗାଁ ମନ୍ଦିରରେ ଶୁକ୍ରବାରଠାରୁ ଜଳୁଛି ଅଖଣ୍ଡ ଦୀପ । ଶୁଭାଶିଷଙ୍କ ସାଙ୍ଗସାଥୀ, ଶିକ୍ଷକ ସମସ୍ତେ ଏବେ ତାଙ୍କ ପାଇଁ ଗର୍ବିତ ।












Click it and Unblock the Notifications