ସାର୍ଟିଫିକେଟ୍ ଜାଲିଆତି କରି ପଦୋନ୍ନତି ପାଇଥିଲେ ସାଂସଦଙ୍କ ପିତା, ପେନସନ ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ
ଜାଲ୍ ସାର୍ଟିଫିକେଟ୍ ଦେଇ ସିନିୟର ଅଧ୍ୟାପକରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇଥିବା କନ୍ଦରପୁର କଲେଜର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କଡ଼ା ଭାଷାରେ ଭର୍ତ୍ସନା କରିଛି। ଏହାସହିତ ସେ ଦାବି କରୁଥିବା ପେନସନ୍ ସୁବିଧ
ଭୁବନେଶ୍ୱର: ଜାଲ୍ ସାର୍ଟିଫିକେଟ୍ ଦେଇ ସିନିୟର ଅଧ୍ୟାପକରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇଥିବା କନ୍ଦରପୁର କଲେଜର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କଡ଼ା ଭାଷାରେ ଭର୍ତ୍ସନା କରିଛି। ଏହାସହିତ ସେ ଦାବି କରୁଥିବା ପେନସନ୍ ସୁବିଧାକୁ ମଧ୍ୟ ବିଭାଗ ଖାରଜ କରି ଦେଇଛନ୍ତି। ତେବେ ଅଭୟ କୁମାର ମହାନ୍ତି ହେଉଛନ୍ତି କେନ୍ଦ୍ରପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ପିତା ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତକାଲି ଜାରି ନିର୍ଦ୍ଦେଶନାମା ଅନୁସାରେ, ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ୨୦୨୧ ଏପ୍ରିଲ ୭ତାରିଖରେ ଦିଆଯାଇଥିବା ରାୟକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ଶ୍ରୀ ମହାନ୍ତିଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶ୍ରୀ ମହାନ୍ତି ରିଡର ପାହ୍ୟାର ପେନସନ୍ ସୁବିଧା ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନକାରୀ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଭଳି ଲାଗୁଛି, ଯାହା ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏସବୁ ପ୍ରକ୍ରିୟା ସରିବାପରେ କର୍ତ୍ତୃପକ୍ଷ ଆବେଦନକାରୀଙ୍କୁ ତାଙ୍କର ସମସ୍ତ ପ୍ରାପ୍ୟ ପ୍ରଦାନ କରିବେ ବୋଲି ରାୟ ଦେଇଥିଲେ।

ହାଇକୋର୍ଟଙ୍କ ଏହି ରାୟ ପରେ ବିଭାଗ ପକ୍ଷରୁ ଏହାର ଯାଞ୍ଚ ହୋଇଥିଲା। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କ ଦସ୍ତଖତରେ ଗତକାଲି ଜାରି ନିର୍ଦ୍ଦେଶନାମା ଅନୁସାରେ, ଶ୍ରୀ ମହାନ୍ତି କନ୍ଦରପୁର କଲେଜରେ ସିନିୟର ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ୧୯୯୭ ଜାନୁୟାରୀ ୨ତାରିଖରୁ ରିଡର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। ଏଥିପାଇଁ ୨୦୦୮ ମେ' ୩ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆବଶ୍ୟକ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ରିଡର ପାହ୍ୟାକୁ ପଦୋନ୍ନତି ନିମନ୍ତେ ଅତିକମରେ ୪ ସପ୍ତାହର ୨ଟି ରିଫ୍ରେସର କୋର୍ସ ପ୍ରଶିକ୍ଷଣ ନେବା ଜରୁରୀ ଥିଲା। ସେହି ସମୟରେ ଶ୍ରୀ ମହାନ୍ତି ଏହି କୋର୍ସ ସାର୍ଟିଫିକେଟ୍ ମଧ୍ୟ ଦାଖଲ କରିଥିଲେ, ଯାହା ଆଧାରରେ ତାଙ୍କୁ ପଦୋନ୍ନତି ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା।
ପରେ ଅଭିଯୋଗ ମିଳିଲା ଯେ, ଅଧ୍ୟାପକ ଶ୍ରୀ ମହାନ୍ତି ଜାଲ୍ ରିଫ୍ରେସର କୋର୍ସ ସାର୍ଟିଫିକେଟ ଦେଇ ରିଡର ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଏହି ଅଭିଯୋଗକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ୨୦୦୯ ମାର୍ଚ୍ଚ ୨୭ତାରିଖରେ ତାଙ୍କର ପଦୋନ୍ନତିଜନିତ ସମସ୍ତ ବକେୟାକୁ ସ୍ଥଗିତ ରଖିବା ସହ ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଭାଗର ଉପନିର୍ଦ୍ଦେଶକ ଏହି ଅଭିଯୋଗର ତଦନ୍ତ କରି ୨୦୦୯ ଅଗଷ୍ଟ ୨୯ତାରିଖରେ ସରକାରଙ୍କୁ ରିପୋର୍ଟ ଦେଇଥିଲେ ଏବଂ ଶ୍ରୀ ମହାନ୍ତି ଦାଖଲ କରିଥିବା ରିଫ୍ରେସର କୋର୍ସ ସାଟିଁଫିକେଟ୍ ଜାଲ୍ ଓ ପ୍ରାୟୋଜିତ ବୋଲି ଦର୍ଶାଇଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୯୩ ଡିସେମ୍ବର ୧ରୁ ୨୮ତାରିଖ ପର୍ଯ୍ୟନ୍ତ କୌଣସି ରିଫ୍ରେସର କୋର୍ସ ପାଇଁ ସାଟିଁଫିକେଟ୍ ଶ୍ରୀ ମହାନ୍ତିଙ୍କୁ ଦିଆଯାଇନାହିଁ ବୋଲି ତଦନ୍ତରୁ ଜଣାପଡ଼ିଥିଲା।
ତେବେ ଅଧ୍ୟାପକ ଶ୍ରୀ ମହାନ୍ତି ଯୁକ୍ତି ବାଢ଼ିଥିଲେ ଯେ ୟୁଜିସି ନିୟମ ଅନୁସାରେ ଚାକିରିରୁ ଅବସର ନେବାର ୩ବର୍ଷ ଭିତରେ ପଦୋନ୍ନତି ନିମନ୍ତେ କୌଣସି ରିଫ୍ରେସର କୋର୍ସ ପ୍ରମାଣପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ। ତେଣୁ ତାଙ୍କୁ ରିଡର ପାହ୍ୟାର ସମସ୍ତ ସୁବିଧାସୁଯୋଗ ଦିଆଯାଉ। ମାତ୍ର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଶ୍ରୀ ମହାନ୍ତି ୨୦୧୦ ମେ' ୩୧ତାରିଖରେ ଅବସର ନେଇଥିବାବେଳେ ତା'ର ୧୩ବର୍ଷ ପୂର୍ବରୁ ଅର୍ଥାତ୍ ୧୯୯୭ ଜାନୁୟାରୀ ୨ରୁ ତାଙ୍କୁ ରିଡର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। ତେଣୁ ୟୁଜିସି ସର୍କୁଲାର ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ କି ସେ ରିଡର ପାହ୍ୟାକୁ ପଦୋନ୍ନତି ପାଇବାକୁ ଯୋଗ୍ୟ ନୁହଁନ୍ତି।












Click it and Unblock the Notifications