ଶ୍ରୀମନ୍ଦିରରେ ଆଜିଠୁ ପବିତ୍ର କାର୍ତ୍ତିକ ନୀତି, ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଶ୍ରୀମନ୍ଦିରରେ ଆଜିଠୁ ପବିତ୍ର କାର୍ତ୍ତିକ ନୀତି, ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହେଲା ପବିତ୍ର କାର୍ତ୍ତିକ ନୀତି । ବିଧି ପରମ୍ପରା ଅନୁସାରେ ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ । ଆଜିଠୁ ଏକ ମାସ ପର୍ଯ୍ୟନ୍ତ ଶ୍ରୀଜିଉଙ୍କର ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ କରାଯିବ । ନିତୀ ନିର୍ଘଣ୍ଟ ଅନୁସାରେ ଆଜି ଭୋର୍ ୫ ଟା ୧୮ ମିନିଟରେ ଦ୍ୱାରଫିଟା ଯାଇ ୬.୧୫ରେ ରାଧାଦାମୋଦର ବେଶ କରାଯାଇଥିଲା । ସେହିପରି ସକାଳ ୧୦.୩୦ ମଧ୍ୟରେ ମହାପ୍ରଭୁଙ୍କ ପାଖରେ ବିଶେଷ ଭୋଗ ଲାଗି କରାଯାଇଛି ଯାହାକୁ ବାଳଧୂପ ନୀତି ବୋଲି କୁହାଯାଏ ।

ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଅବକାଶ ନିତି ବଢିବା ପରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥିଲା । ଭକ୍ତ ମାନେ ଭିତରକାଠ ନିକଟରୁ ଦର୍ଶନ କରିବାର ସୁଯୋଗ ପାଉଛନ୍ତି । ଆଜି ଠାରୁ କାର୍ତ୍ତିକ ପୁର୍ଣ୍ଣମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବାଳଭୋଗ ଲାଗି ହେବାର ପରମ୍ପରା ରହିଛି। ଅକ୍ଟୋବର ୬ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ସେହିପରି ଅକ୍ଟୋବର ୩୧ରେ ହରିହର ବେଶ, ନଭେମ୍ବର ୪ରେ ଠିଆକିଆ ବେଶ, ୫ରେ ବାଙ୍କଚୁଡ଼ା ବେଶ, ୬ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୭ରେ ଲକ୍ଷ୍ମୀନୃସିଂହ ବେଶ, ୮ରେ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ ।
ସେପଟେ ଆଜି ଶ୍ରୀକ୍ଷେତ୍ରରେ ଅନନ୍ୟ ପରମ୍ପରା ଗୋଷାଣୀ ଯାତ୍ରା । ଗୋଷାଣୀ ଦେବୀ ମାନଙ୍କର ବଡଦାଣ୍ଡରେ ହେବ ଦେବସଭା । ସବୁ ଗୋଷାଣୀ ମେଢ ବଡଦାଣ୍ଡକୁ ଆସି ବଡ ଏକାଦଶୀରେ ଶ୍ରୀମନ୍ଦିରର ମହାଦିପ ଉଠିବା ପରେ ଦେବସଭା ଭାଙ୍ଗିଥାଏ । ମହାଦୀପ ଦର୍ଶନ କରିବା ପରେ ମଙ୍ଗଳାଘାଟରେ ନିର୍ମିତ ଏକ କୁତ୍ରୀମ ପୁଷ୍କରିଣୀରେ ଜଳବିସର୍ଜନ କରାଯାଏ । ଏଣୁ ଆଜି ସନ୍ଧ୍ୟାରେ ଜହ୍ନିଖାଇ, ବାରବାଟୀ, ଶୂନ୍ଯଗୋଷାଣୀ, ବେଲବାଇ, ଗେଲବାଇ,ବୁଢାବୁଢୀ, ଚମ୍ପାଥି, ନାଗା ଆଦି ଚାଳିଶିରୁ ଉର୍ଦ୍ଧ୍ବ ଗୋଷାଣି ଦେବୀ ମାନେ ବିରାଟ ପଟୁଆରରେ ଆସି ଦେବସଭାରେ ସାମିଲ ହେବେ । ଗତ ଦୁଇବର୍ଷ ହେବ କରୋନା ଯୋଗୁଁ ଗୋଷାଣୀ ଯାତ୍ରା ଫିକା ପଡିଥିବା ବେଳେ ଏଥର ବେଶ ଜାକଜମକରେ ପାଳିତ ହେବ । ବଡଦାଣ୍ଡର ଆକର୍ଷଣୀୟ ଆଲୋକ ମାଳା ସହ ଗୋଶାଣୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହଜାର ହଜାର ଭକ୍ତଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରଯାଇଛି ।












Click it and Unblock the Notifications