କଳିଙ୍ଗା ଘାଟି ଏବେ ଦୁଇ ଭାଗ; କେବେ ସରିବ ମରାମତି ?
କଳିଙ୍ଗା ଘାଟି ଏବେ ଦୁଇ ଭାଗ । ମଙ୍ଗଳବାର ଘଟିଥିବା ଭୂସ୍ଖଳନ ପରେ ବିପର୍ଯ୍ୟୟର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ଘଟଣାସ୍ଥଳରୁ ଏକରୁ ଦେଢ଼ କିମି ଯାଏଁ ଦୁର୍ଗାପ୍ରସାଦ ଆଡ଼କୁ ୧୦ରୁ ଅଧିକ ସ୍ଥାନରେ ଘାଟିରୁ ଧସିଛି ପାହାଡ଼ । ରାସ୍ତାରେ ବଡ଼ ବଡ଼ ପଥର ସାଙ୍ଗକୁ ମାଟି, ଗଛ ଆଦି ବିଛାଇ ହୋଇପଡ଼ିଛି । ଭୂସ୍ଖଳନ ସ୍ଥଳର ଅଧା କିମି ଦୂର ତଳ ପଟକୁ ଅନ୍ୟ ଏକ ମୋଡ଼ରେ ଘାଟି ରାସ୍ତାର ଉପର ଅଂଶ ରହିଥିବାବେଳେ ତଳ ଅଂଶ ସମ୍ପୂର୍ଣ୍ଣ ଖାଇ ଯାଇଛି ।
ସତେ ଯେମିତି ରାସ୍ତାଟି ଝୁଲି ରହିଛି । ଘାଟି ରାସ୍ତାର କେତେକ ସ୍ଥାନରେ ସଡ଼କ ଫାଟି ଆଁ କରିଛି । ବର୍ଷା ଜଳର ପ୍ରଚଣ୍ଡ ସୁଅ କାରଣରୁ ଘାଟିର ନିମ୍ନଭାଗ ରାସ୍ତାରେ ଅଧିକାଂଶ ସ୍ଥାନରେ ପିଚୁ ଉଠି ଯାଇଛି । ପାହାଡ଼ର ପ୍ରାୟ ଶହେ ଫୁଟ ଉପରୁ ମାଟି ଅତଡ଼ା ଓ ବଡ଼ ବଡ଼ ପଥର ଖସି ଆସି ୫୦ ଫୁଟରୁ ଅଧିକ ଲମ୍ବର ରାସ୍ତା ସହ ପୋଲ ସମ୍ପୂର୍ଣ୍ଣ ଧୋଇ ନେଇଛି ।

ବୁଧବାର ବର୍ଷା ଥମିବା ପରେ ଘାଟିର ଉଭୟ ପଟୁ ପଥର, ମାଟି, ଗଛ ସଫା କରିବା କାର୍ଯ୍ୟ ଆରମ୍ଭ ହୋଇଛି । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହା କେତେଦିନ ଲାଗିବ ତାହା ନିର୍ଦ୍ଦିଷ୍ଟ କୁହାଯାଇପାରୁ ନାହିଁ । କାର୍ଯ୍ୟ ତଦାରଖ କରିଥିବା ଜାତୀୟ ରାଜପଥ ସମ୍ବଲପୁର ଡିଭିଜନ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା ସାତ ଦିନରେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି । କିନ୍ତୁ କ୍ଷୟକ୍ଷତି ଆକାରକୁ ଦେଖିଲେ ଏହା ବିଶ୍ୱାସଯୋଗ୍ୟ ମନେ ହେଉନାହିଁ । ଘାଟି ଏବଂ ରାସ୍ତାର ପୁନଃନିର୍ମାଣ ପାଇଁ ପ୍ରାୟ ୬ ମାସ ସମୟ ଲାଗିପାରେ ବୋଲି ମଧ୍ୟ ସେ କହିଛନ୍ତି । ଯେହେତୁ ଭୂସ୍ଖଳନ ପରେ ଘାଟିର ଅପରପାର୍ଶ୍ୱ ଅବସ୍ଥା ଦେଖିନାହାନ୍ତି ତେଣୁ ରାଜପଥ ବିଭାଗ ଯନ୍ତ୍ରୀ ସେଭଳି କହୁଥିବା ଅଧିକାଂଶ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ବୁଧବାର ସକାଳୁ ଜାତୀୟ ରାଜପଥ ପ୍ରାଧିକରଣ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ମାଟି ପଥର ହଟାଯାଇଥିଲା । ପ୍ରାଧିକରଣ ସମ୍ବଲପୁର ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା, ଅଧୀକ୍ଷଣ ଯନ୍ତ୍ରୀ ଶାନ୍ତନୁ କୁମାର ସାହୁ, ଫୁଲବାଣୀ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବୀରେନ୍ଦ୍ର କୁମାର ଖୁରା ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ରାଜପଥ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯିବ । ଏକ ନୂତନ ପୋଲ କରାଯିବ । ସେହିପରି ଭୂସ୍ଖଳନ ରୋକିବା ପାଇଁ କେନ୍ଦ୍ରରୁ ବିଶେଷଜ୍ଞ ଦଳ ଆସି ଅନୁଧ୍ୟାନ କରିବା ପରେ ଯୋଜନା କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ ବିନା ନିର୍ମାଣ, ଅତିରିକ୍ତ ପାହାଡ଼ କାଟିବା ଆଦି କାରଣରୁ ଏଭଳି ଘଟିଥିବା ମତବ୍ୟକ୍ତ କରିଛନ୍ତି ଉଦ୍ଭିଦ ବିଜ୍ଞାନୀ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ । ଅନୁରୂପ ମନ୍ତବ୍ୟ ଦେଇଛନ୍ତି ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା । ସେ କହିଛନ୍ତି, ଘାଟି ରାସ୍ତାକୁ ପ୍ରଶସ୍ତ କରାଯାଉଥିବାବେଳେ କମ୍ ସମୟ ଭିତରେ ବଡ଼ ହେଉଥିବା ଗଛ ଲଗାଯିବା ଆବଶ୍ୟକ ।
ଭୂତତ୍ତ୍ୱବିତ୍ ମାୟାଧର ସାହୁ କହିଛନ୍ତି, ଅତ୍ୟଧିକ ବର୍ଷା ଯୋଗୁଁ ପାଣି ଧସେଇ ଆସିଥିଲା ଏବଂ ରାସ୍ତା ଧୋଇଯାଇଥିଲା । ଅନ୍ୟପକ୍ଷରେ ଭଞ୍ଜନଗର ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି କହିଛନ୍ତି, ଅନ୍ଧାରକୋଟ ଇଲାକାରେ କଳିଙ୍ଗା ଘାଟିର ପାହାଡ଼ ଉପରୁ ବର୍ଷାଜଳ ପୂର୍ବରୁ ଖସୁଥିଲା । ତାହାକୁ ଆଧାର କରି ସେଠାରେ ଏକ ବ୍ରିଜ୍ କରାଯାଇ ବର୍ଷା ଜଳ ଘାଟି ତଳକୁ ନିଷ୍କାସିତ କରାଯାଉଥିଲା । ସେ ମଙ୍ଗଳବାର ଫୁଲବାଣୀରୁ ଭଞ୍ଜନଗର ଫେରିବାବେଳେ ପ୍ରବଳ ବର୍ଷା ଯୋଗୁଁ ଘାଟିର ଉକ୍ତ ଜାଗାରେ ଉପରୁ ପ୍ରବଳ ବେଗରେ ପାଣି ଖସୁଥିଲା । ଭୂସ୍ଖଳନ ଘଟିପାରେ ବୋଲି ସେ ଆଶଙ୍କା କରିଥିଲେ ଆଉ ସେ ଭଞ୍ଜନଗର ପହଞ୍ଚିବା ପରେ ଭୂସ୍ଖଳନ ହୋଇଥିବା ଶୁଣିବାକୁ ପାଇଥିଲେ । ଅତ୍ୟଧିକ ବର୍ଷା ଓ ମାଟିର ଢିଲା ପଣ ଯୋଗୁଁ ଏଠାରେ ଆଉ ଏକ ଝରଣା ଖୋଲିଗଲା ବୋଲି ସେ କହିଛନ୍ତି ।












Click it and Unblock the Notifications