ଓଡ଼ିଶାରେ କମୁଛି କଲରାପତରିଆ ବାଘ ସଂଖ୍ୟା; ୪ ବର୍ଷରେ ୧୯୨ କଲରାପତରିଆ ଉଭାନ, ଚିନ୍ତା ବଢ଼ାଇଲା ଏନଟିସିଏ ରିପୋର୍ଟ
ଭୁବନେଶ୍ୱର: ଓଡ଼ିଶାରୁ କୁଆଡେ ଗଲେ କଲରାପତରିଆ ବାଘ । ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ବଢ଼ିଥିବା ବେଳେ, ଓଡ଼ିଶାରେ କମୁଥିବା ସୂଚନା ରହିଛି । ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ୫୬୮କୁ ହ୍ରାସ ପାଇଛି । ଚାରି ବର୍ଷ ତଳେ ଥିଲା ୭୬୦ ସଂଖ୍ୟା ଥିଲା । ଏହାର ଅର୍ଥ ହେଉଛି, ୧୯୨ କଲରାପତରିଆ ଏ ଭିତରେ ଉଭାନ ହୋଇ ଯାଇଛନ୍ତି ।
ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା NTCAର ଷ୍ଟାଟସ୍ ଅଫ୍ ଲିଓପାର୍ଡସ୍ ଇନ୍ ଇଣ୍ଡିଆ-୨୦୨୨ ରିପୋର୍ଟରୁ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଘନ ଘନ ବାଘ ଛାଲ ଜବତ ବି ଏକଥାକୁ ପ୍ରମାଣିତ କରୁଛି ।
୨୦୧୮ ଗଣନା ଅନୁସାରେ ଓଡ଼ିଶା ଜଙ୍ଗଲରେ ୭୬୦ଟି କଲରାପତରିଆ ବାଘ ଥିଲେ । ୨୦୨୨ରେ ଏହି ସଂଖ୍ୟା ୫୬୮କୁ ଖସିଆସିଛି । ତେବେ ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ୨୦୧୮ର ୧୨ ହଜାର ୮୫୨ ରେକର୍ଡ ହୋଇଥିବା ବେଳେ, ୨୦୨୨ରେ ଏହା ୧୩ ହଜାର ୮୭୪କୁ ବୃଦ୍ଧି ପାଇଛି । ଅର୍ଥାତ୍, ଦେଶରେ ୪ବର୍ଷରେ ୯୮୨ କଲରାପତରିଆ ବଢ଼ିଛନ୍ତି । ରିପୋର୍ଟ ଅନୁସାରେ କେନ୍ଦ୍ରୀୟ ଭାରତରେ ସର୍ବଧିକ ୮୮୨୦ ବାଘ ରହିଥିବା ବେଳେ ପଶ୍ଚିମାଘାଟରେ ୩୫୯୬, ଶିବାଲିକ୍ ରେଞ୍ଜ୍ରେ ୧୧୦୯ ଓ ଉତ୍ତର-ପୂର୍ବାଞ୍ଚଳରେ ୩୪୯ କଲରାପତରିଆ ବାଘ ରହିଥିବା ଜଣାପଡିଛି ।

ଆମେ ଯଦି ଦେଖିବା ସର୍ବାଧିକ ୩ହଜାର ୯୦୭ଟି କଲରାପତରିଆ ମଧ୍ୟପ୍ରଦେଶରେ ଅଛନ୍ତି । ୨୦୧୮ରେ ସେଠାରେ ୩ ହଜାର ୪୨୧ଟି ବାଘ ଥିଲେ । ଅର୍ଥାତ୍, ୪ ବର୍ଷରେ ୪୮୬ ବାଘ ବଢ଼ାଇବାରେ ସେଠାକାର ରାଜ୍ୟ ସରକାର ସକ୍ଷମ ହୋଇଛନ୍ତି । ତା' ତଳକୁ ମହାରାଷ୍ଟ୍ରରେ ୧ ହଜାର ୯୮୫ଟିବାଘ ଅଛନ୍ତି ।
ସେହିଭଳି କର୍ଣ୍ଣାଟକରେ ୧୮୭୯, ତାମିଲାଡୁରେ ୧୦୭୦, ଛତିଶଗଡରେ ୭୨୨, ରାଜସ୍ଥାନରେ ୭୨୧, ଉତ୍ତରାଖଣ୍ଡରେ ୬୫୨, କେରଳରେ ୫୭୦, ଆନ୍ଧ୍ରପ୍ରଦେଶରେ ୫୬୯, ଉତ୍ତରପ୍ରଦେଶରେ ୩୭୧, ତେଲଙ୍ଗାନାରେ ୨୯୭, ଉତ୍ତର ବଙ୍ଗଳାରେ ୨୩୩, ବିହାରରେ ୮୬, ଗୋଆରେ ୭୭, ଆସାମରେ ୭୪, ଝାଡଖଣ୍ଡରେ ୫୧ ଓ ଅରୁଣାଚଳରେ ୪୨ କଲରାପତରିଆ ଅଛନ୍ତି ।
ତେବେ ଏହାକୁ ଆକଳନ କଲେ ଓଡି଼ଶାରେ ୪ ବର୍ଷରେ କଲରାପତରିଆ ବାଘ କମିଛନ୍ତି । ଛତିଶଗଡ଼ରେ ମଧ୍ୟ ବାଘ ସଂଖ୍ୟା ୧୩୦ କମିଛି । ୨୦୧୮ରେ ସେଠାରେ ୮୫୨ ବାଘ ଥିବା ବେଳେ ୨୦୨୨ରେ ଏମାନଙ୍କ ସଂଖ୍ୟା ୭୨୨କୁ ଖସିଛି । ଉତ୍ତରାଖଣ୍ଡରେ ବାଘ ସଂଖ୍ୟା ୧୮୭ କମିଛି । ୨୦୧୮ରେ ସେଠାରେ ୮୩୯ ବାଘ ଥିଲେ । ୨୦୨୨ ବେଳକୁ ୬୫୨ ବାଘ ବଞ୍ଚିଛନ୍ତି । ତେଲେଙ୍ଗାନାରୁ ୪ବର୍ଷରେ ୩୭ଟି, ଗୋଆରୁ ୯ଟି ବାଘ ଓ କେରଳରୁ ୮୦ଟି ବାଘ ଉଭାନ୍ ହୋଇଛନ୍ତି ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଓଡ଼ିଶାରେ ବାଘ ଗଣନା କରାଯାଇଥିଲା। ରାଜ୍ୟରେ ଏବେ ମୋଟ ୭ଟି ବାଘଛୁଆ ସମେତ ୩୦ଟି ବାଘ ଅଛନ୍ତି । ସେଥିରେ ୧୩ଟି କଳାବାଘ ଚିହ୍ନଟ କରାଯାଇଥିଲା । ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ ବିଶ୍ୱର ଏହି ବିରଳ ପ୍ରଜାତିର କଳାବାଘ ରହିଥିବା ଓଡ଼ିଶା ସରକାରଙ୍କ ରିପୋର୍ଟରୁ ସୂଚନା ମିଳିଥିଲା।












Click it and Unblock the Notifications