୨୦ ଯାଏ କାଳବୈଶାଖୀ , ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସୂଚନା
ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ବର୍ଷା ଏ ପ୍ରଚଣ୍ଡ ତାତି ରୁ ରକ୍ଷା ଦେଇଛି । ଉପକୂଳ ଓ ଉତ୍ତର ଓଡ଼ିଶାରେ ପାଗ କୋହଲା ରହିବା ସହ ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ମାତ୍ର ଅନୁଗୁଳ ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଛି। ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ଝାରସୁଗୁଡ଼ାରେ ୩୮.୭, ଟିଟିଲାଗଡ଼ରେ ୩୮.୫, ମାଲକାନଗିରିରେ ୩୮, ସୋନପୁରରେ ୩୭.୯, ସମ୍ବଲପୁର ଓ ଭବାନୀପାଟଣାରେ ୩୭.୮, ଅନୁଗୁଳରେ ୩୭.୭, ହୀରାକୁଦରେ ୩୭.୬, ସୁନ୍ଦରଗଡ଼ରେ ୩୭.୩, ପାରଳାଖେମୁଣ୍ଡିରେ ୩୭ ଡିଗ୍ରି ରେକର୍ଡ କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତନ ହେବ ନାହିଁ। ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦିନର ତାପମାତ୍ରା ୩୪ରୁ ୩୬ ଡିଗ୍ରି ଓ ଅଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୩୭ରୁ ୩୯ ଡିଗ୍ରି ମଧ୍ୟରେ ରହିବ।

ଶନିବାର ସକାଳ ସୁଦ୍ଧା ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସହ ବଜ୍ରପାତ ହୋଇପାରେ। ତେବେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଯାଜପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ସମ୍ବଲପୁର, ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ଜିଲ୍ଲାରେ କାଳବୈଶାଖୀ ହେବାକୁ ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି।
୧୮ ତାରିଖରେ ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକରେ କାଳବୈଶାଖୀ ପ୍ରଭାବ ରହିବ। ୧୯ ତାରିଖ ସକାଳଠାରୁ ୨୦ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼ ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ୪୦ରୁ ୫୦ କିମି ବେଗରେ ପବନ ସହ କାଳବୈଶାଖୀ ଯୋଗୁଁ ଲୋକେ ପ୍ରଭାବିତ ହେବାର ଆଶଙ୍କା ରହିଛି।












Click it and Unblock the Notifications