Kalabaishakhi in Odisha: ଆଜି ୧୭ ଜିଲ୍ଲାରେ କାଳବୈଶାଖୀ
ଆଜି ୧୭ ଜିଲ୍ଲାରେ ହେବ କାଳବୈଶାଖୀ । ଏଥିସହ ବିଜୁଳି ଘଡ଼ଘଡ଼ି , ସହ ଝଟକା ପବନ ହେବାର ସମ୍ଭାବନା ରହିଛି । ଏଥିପାଇଁ ୧୭ ଜିଲ୍ଲାକୁ ସତର୍କ ରହିବାକୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୧୭ ଜିଲ୍ଲାରେ ଆଜି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୧୭ ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ ଗଜପତି ।

ଏହି ସମସ୍ତ ଜିଲ୍ଲାରେ ଆଜି ମଧ୍ୟାହ୍ନ ଏବଂ ସଂଧ୍ୟା ସମୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି , ଝଟକା ପବନ ବହିବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରଛି।ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ସକ୍ରିୟ ରହିଛି। ବର୍ତ୍ତମାନ ଏହା ପଶ୍ଚିମ କେନ୍ଦ୍ରୀୟ ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କ୍ଷୁଦ୍ର ଏବଂ ମଧ୍ୟ ମେଘଖଣ୍ଡ ଦେଖିବାକୁ ମିଳୁଛି।
କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ହୋଇଛି। ସୋମବାର ଅପରାହ୍ନରେ କଟକରେ କାଳବୈଶାଖୀ ଯୋଗୁଁ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ବର୍ଷା ହୋଇଥିଲା। ସନ୍ଧ୍ୟା ସୁଧା କଟକରେ ୨୩.୪ ମି.ମି. ବର୍ଷା ହୋଇଛି। ଭଦ୍ରକରେ ୨୬.୪ ମି.ମି., ଯାଜପୁରରେ ୨୪.୬ ମି.ମି., ଢେଙ୍କାନାଳରେ ୨୯.୪ ମି.ମି. ବର୍ଷା ହୋଇଛି। ରାଜଧାନୀରେ ଆକାଶ ମେଘାଛନ୍ନ ରହିବା ସହିତ କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଥିଲା।
ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରର ବାମରାରେ ୫୮.୮ ମି.ମି., ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ୪୨.୨, ବାଲିଶଙ୍କରାରେ ୩୨.୨ ଏବଂ ହେମଗିରିରେ ୩୦ ମି.ମି ବର୍ଷା ହୋଇଛି। ଆରବ ସାଗରର କର୍ଣ୍ଣାଟକ ଉପକୂଳରେ ଆସନ୍ତା ୨୧ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୨ ତାରିଖ ବେଳକୁ ଏହା ସେହି ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ପଞ୍ଜାବରୁ ଉତ୍ତର ବାଂଲାଦେଶ ପର୍ଯ୍ୟନ୍ତ ପୂର୍ବରୁ -ପଶ୍ଚିମ ଯାଏଁ ଏକ ଟ୍ରଫ ଲାଇନ ରହିଛି।
ସୋମବାର ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରାଜ୍ୟରେ ସବୁଠୁ ଅଧିକ ୪୨ ଡିଗ୍ରୀ ରେକର୍ଡ଼ ହୋଇଛି। ବଲାଙ୍ଗୀରରେ ୪୦.୮, ହୀରାକୁଦ ୪୦.୧, ଟିଟିଲାଗଡ଼ ଏବଂ ବୌଦ୍ଧରେ ୪୦ ଡିଗ୍ରୀ ଲେଖାଏଁ, ଖୋର୍ଦ୍ଧାରେ ୩୯ ଡିଗ୍ରୀ, ଭୁବନେଶ୍ବରରେ ୩୮.୪ ଏବଂ କଟକରେ ୩୬.୮ ଡିଗ୍ରୀ ରେକର୍ଡ଼ ହୋଇଛି। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାକୁ ଉଷ୍ଣ ଓ ଆର୍ଦ୍ର ସ୍ଥିତି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଠାରେ ଖରା ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି।












Click it and Unblock the Notifications