କାଇ ଚଟଣିକୁ ମିଳିବ ଜିଆଇ ଟ୍ୟାଗ ! , ଖୁବଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା
ମୟୂରଭଞ୍ଜର ଆଦିବାସୀ ସମ୍ପ୍ରଦାୟର ଲୋକ ନାଲି ପିମ୍ପୁଡି ବା କାଇକୁ ନେଇ ସ୍ୱତନ୍ତ୍ର ଧରଣର ଚଟଣି ପ୍ରସ୍ତୁତ କରିଥାନ୍ତି । ଯାହାକୁ ସେମାନେ ସ୍ୱାଦିଷ୍ଟ ବୋଲି ମଧ୍ୟ ଦାବି କରିଥାନ୍ତି। ଏବେ ଏହାକୁ କିପରି ଜିଆଇ ଟ୍ୟାଗ୍ ମିଳି ପାରିବ ସେଥିପାଇଁ ପ୍ରୟାସ ଆରମ୍ଭ କରାଯାଇଛ
ଭୁବନେଶ୍ୱର: ମୟୂରଭଞ୍ଜର ଆଦିବାସୀ ସମ୍ପ୍ରଦାୟର ଲୋକ ନାଲି ପିମ୍ପୁଡି ବା କାଇକୁ ନେଇ ସ୍ୱତନ୍ତ୍ର ଧରଣର ଚଟଣି ପ୍ରସ୍ତୁତ କରିଥାନ୍ତି । ଯାହାକୁ ସେମାନେ ସ୍ୱାଦିଷ୍ଟ ବୋଲି ମଧ୍ୟ ଦାବି କରିଥାନ୍ତି। ଏବେ ଏହାକୁ କିପରି ଜିଆଇ ଟ୍ୟାଗ୍ ମିଳି ପାରିବ ସେଥିପାଇଁ ପ୍ରୟାସ ଆରମ୍ଭ କରାଯାଇଛି ।

ଏଥିପାଇଁ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ ଦ୍ୱାରା ଆନୁଷଙ୍ଗିକ ନଥିପତ୍ର ପ୍ରସ୍ତୁତ କରାଯାଉଛି । ଆଉ ଏହା ସରିବା ପରେ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ । ମୟୂରଭଞ୍ଜର ଆଦିବାସୀମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଥିବା ଏହି କାଇ (ଓଇକୋଫିଲା ସ୍ମାରାଗଡ଼ିନା) ଚଟଣି ସ୍ୱାସ୍ଥ୍ୟ ପାଇଁ ବି ଭଲ। କାରଣ ଏହି କାଇରେ ପ୍ରୋଟିନ୍, କ୍ୟାଲସିୟମ, ଜିଙ୍କ, ଭିଟାମିନ୍ ବି ୧୨, ଆଇରନ୍, ମ୍ୟାଗ୍ନେସିୟମ୍ ଆଦି ରହିଛି। ପୋଟାସିୟମ୍, ସୋଡିୟମ, କପର, ଫାଇବର ଓ ୧୮ ଆମିନୋ ଏସିଡ ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ବେଳେ ଏହା ଶରୀରକୁ ବିଭିନ୍ନ ପ୍ରକାର ରୋଗ ଦାଉରୁ ରକ୍ଷା କରିଥାଏ ।
ମୁଖ୍ୟତଃ ଲାର୍ଭା ଓ କିଶୋର ଅବସ୍ଥାରେ ଥିବା ନାଲି ଜନ୍ଦାମାନଙ୍କୁ ଚଟଣି କରିଥାନ୍ତି । ସ୍ୱାଦ ଅନୁସାରେ ଲୁଣ, ରସୁଣ, ଅଦା ଓ ଲଙ୍କା ଦେଇ ଚଟଣି ପ୍ରସ୍ତୁତ କରିଥାନ୍ତି । ସ୍ଥାନୀୟ ବଜାରରେ ଏହା ବିକ୍ରୀ ମଧ୍ୟ ହୋଇଥାଏ । ଜ୍ୱର, ଥଣ୍ଡା, ଦୃଷ୍ଟି ଶକ୍ତି ବୃଦ୍ଧି, ଆଣ୍ଠୁଗଣ୍ଠି ବଥା ପାଇଁ କାଇ ଚଟଣି ଫଳପ୍ରଦ ହୋଇଥାଏ । ସୁସ୍ଥ ମସ୍ତିଷ୍କ ପାଇଁ ବି କାଇଚଟଣି ଫଳପ୍ରଦ ବୋଲି କୁହାଯାଏ ।
ଆଦିବାସୀ ବୈଦ୍ୟମାନେ କାଇକୁ ସଂଗ୍ରହ କରି ଏହାକୁ ସୋରିଷ ତେଲ ସହ ମିଶାଇ ପାରମ୍ପରିକ ଔଷଧ ପ୍ରସ୍ତୁତ କରିଥାନ୍ତି । ୩୦ ଦିନର ଏଭଳି ତେଲ ଶିଶୁମାନଙ୍କ ପାଇଁ ବ୍ୟବହୃତ ହୋଇଥାଏ । ଏବେ ଜିଆଇ ଟ୍ୟାଗ ମିଳିଲେ କାଇଚଟଣିକୁ ଅଧିକ ପ୍ରୋତ୍ସାହନ ମିଳିବା ଆଶା କରାଯାଉଛି ।












Click it and Unblock the Notifications