ସାଢେ ୭ ଘଣ୍ଟା ପରେ ସରିଲା ରତ୍ନ ଅଳଙ୍କାର ସ୍ଥାନାନ୍ତରଣ
ପୁରୀ: ଆଜି ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କାର୍ଯ୍ୟ ସରିଛି । ରତ୍ନଭଣ୍ଡାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କାର୍ଯ୍ୟ ସରିଲା ଓ ବାହାରକୁ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ ଏହି ସୂଚନା ଦେଇଛନ୍ତି । ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ଭିତରକୁ ପ୍ରବେଶ କରିଥିଲୁ । ସମସ୍ତେ ଦିବ୍ୟମନରେ ପ୍ରବେଶ କରିଥିଲୁ ।
ସିଂହଦ୍ୱାର ସମ୍ମୁଖରେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲୁ । ଏହାପରେ ସମସ୍ତେ ଏକାଠି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲୁ । ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରିଥିଲୁ । ସମସ୍ତ କମିଟି ସଦସ୍ୟ ଏବଂ ଶୁଭ ମୁହୂର୍ତ୍ତ ଦିନ ୯ଟା ୫୧ ମିନିଟ୍ ସମୟରେ ଭଣ୍ଡାରକୁ ପ୍ରବେଶ କରିଥିଲୁ ।
ଭିତର ରତ୍ନଭଣ୍ଡାରରେ ୩ଟି କାଚ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା ଥିଲା । ୩ଟି ସିନ୍ଦୁକ ମଧ୍ୟ ଥିଲା । ରାଜ୍ୟ ସରକାରଙ୍କ ଏସ୍ଓପି ଅନୁଯାୟୀ ରତ୍ନଭଣ୍ଡାର ପ୍ରବେଶ କରିଥିଲୁ । ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହେଲା । ସ୍ଥାନାନ୍ତରଣ ପାଇଁ ଆମ ୧୧ ଜଣଙ୍କ ସହ ଅନ୍ୟମାନଙ୍କ ସହାୟତା ନେଇଥିଲୁ ।

କେବଳ କଟର ଓ ଇଲେକ୍ଟ୍ରି ସହାୟକଙ୍କ ଛଡ଼ା ଆଉ କାହାର ସହଯୋଗ ଲୋଡ଼ା ପଡ଼ିଲାନି । ପ୍ରାୟ ସାଢେ ୭ ଘଣ୍ଟା ପରେ ସରିଲା ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା । ଏହାସହ ସେ କହିଛନ୍ତି ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି କିଛି ସୁଡ଼ଙ୍ଗ ନାହିଁ । କାନ୍ଥକୁ ଆଉଜି ଥିବା ସବୁ ଆଲମାରି, ସିନ୍ଦୁକ କଢ଼ା ଯାଇଥିଲା । ଆମ ଆଖିରେ ଆମେ ସେମିତି କିଛି ସୁଡ଼ଙ୍ଗ ଦେଖିପାରିଲୁ ନାହିଁ । ଗୁପ୍ତ ଭଣ୍ଡାର, ସୁଡ଼ଙ୍ଗ ହେଉଥିବା ଚର୍ଚ୍ଚା ତଥ୍ୟ ପର୍ଯ୍ୟବଷିତ ନୁହେଁ । କେବଳ ଗୁଜବ ବୋଲି ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ।
ଅନ୍ୟପଟେ ପ୍ରଥମେ ଶ୍ରୀମନ୍ଦିର ବାହାରକୁ ଆସିଥିବା ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ କହିଛନ୍ତି ଭିତର ଭଣ୍ଡାରରେ ନାହିଁ ସାପ । ଭିତର ରତ୍ନଭଣ୍ଡାରରେ ଆଦୌ ଦେଖାଗଲେନି ସାପ । ସ୍ନେକ ହେଲ୍ପଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି 'ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା, ଆମେ ପ୍ରସ୍ତୁତ ହୋଇ ରହିଥିଲୁ । ହେଲେ ସାପ ନଥିଲେ ।
ଆମେ ବାହାରେ ବସି ରହିଥିଲୁ, ଆମକୁ ଡକା ଗଲା ନାହିଁ । ଆମକୁ ଡକା ଗଲା ନାହିଁ ମାନେ ଭିତରେ ସାପ ନାହାନ୍ତି । ସାପ ଥିଲେ ଆମକୁ ନିଶ୍ଚିତ ଭାବେ ଡକା ଯାଇଥାନ୍ତା । ସ୍ନେକ୍ ହେଲ୍ପଲାଇନ୍ ପରେ ଶ୍ରୀମନ୍ଦିର ପରିସରରୁ ବାହାରିଥିଲେ ଓଡ୍ରାଫ୍ ଟିମ୍ । ଆଜିର କାର୍ଯ୍ୟ ଶେଷ ହେଲା ପରେ ଟିମ୍ ବାହାରିଲେ । କିଛି ଅଘଟଣ ଘଟିଲେ ସହାୟତା ପାଇଁ ମୁତୟନ ଥିଲେ ।












Click it and Unblock the Notifications