ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର, ୧୦ ଡିଗ୍ରୀ ଛୁଇଁଲା ରାଜଧାନୀ ପାରଦ
ଓଡିଶାରେ ହାଡ଼ଭଙ୍ଗା ଶୀତ। କଲବଲ କରୁଛି ପ୍ରଚଣ୍ଡ ଥଣ୍ଡା। ଥରୁଛି ଉପକୂଳରୁ ଉପାନ୍ତ । ଅନେକ ଜିଲ୍ଲାରେ 'କୋଲ୍ଡ ୱେଭ୍' ଆଲର୍ଟ । ରାଜ୍ୟରେ ଏବେ ପ୍ରବଳ ଶୀତର ଲହରୀ ଜାରି ରହିଛି । ଅନେକ ସ୍ଥାନରେ ପାରଦ ବହୁତ ତଳକୁ ଖସିଛି । ଶୀତ ପାଇଁ ଭାରତୀୟ ପାଣିପାଗ ବିଭାଗ ଅନେକ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରିଛି।

ସେହିପରି ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଥଣ୍ଡା। ସକାଳ ୫ଟା ୩୦ରେ ୧୦ ଡିଗ୍ରୀ ଛୁଇଁଲା ରାଜଧାନୀ ପାରଦ। ଆଜି ରାଜଧାନୀ ତାପମାତ୍ରା ୧୦.୨ ଡିଗ୍ରୀ ରେକର୍ଡ ହୋଇଛି। ଗତ ୪ ଦିନ ତୁଳନାରେ ରାଜଧାନୀରେ ଆଜି ସବୁଠୁ କମ୍ ତାପମାତ୍ରା ରେକର୍ଡ ହୋଇଛି।
ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ତାପମାତ୍ରା ଶୂନ ଡିଗ୍ରିକୁ ଖସିଛି । ଯାହା ରାଜ୍ୟର ସବୁଠାରୁ କମ୍ । ସେହିପରି ଝାରସୁଗୁଡ଼ାରେ ଆଜି ୬.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ୧୦.୨ ଡୀଗ୍ରି ସେଲସିୟସକୁ ଖସିଛି । ଜଗତସିଂହପୁର, କଟକ, ବାଲେଶ୍ୱର, ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ସୋନପୁର, ନବରଙ୍ଗପୁର ଏବଂ କୋରାପୁଟ ଭଳି ଜିଲ୍ଲାରେ ଶୀତ ଲହରୀ ଅଧିକ ଅନୁଭୂତ ହେଉଛି ।
ଶୀତ ସାଙ୍ଗକୁ ଘନ କୁହୁଡ଼ି କଲବଲ କରୁଛି । ନୟାଗଡ଼, ବୌଦ୍ଧ, କଟକ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳରେ ସମସ୍ୟା ଦେଖାଯାଇଛି । ଆଗାମୀ କିଛି ଦିନ ପାଇଁ ଅନେକ ସ୍ଥାନରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜାନୁଆରୀ ମଧ୍ୟଭାଗ ପୂର୍ବରୁ ଶୀତ କମିବାର ସମ୍ଭାବନା କମ୍ ।












Click it and Unblock the Notifications