ଉପ-ନିର୍ବାଚନ ପୂର୍ବରୁ ବଦଳିଲେ ଝାରସୁଗୁଡ଼ା ଜିଲ୍ଲାପାଳ, ଅବୋଲି ସୁନିଲ ନରୱଣେଙ୍କୁ ମିଳିଲା ଦାୟିତ୍ୱ
New Jharsuguda Collector: ଉପନିର୍ବାଚନ ପୂର୍ବରୁ ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ । ଜିଲ୍ଲାପାଳ ସରୋଜ ସାମଲଙ୍କ ସ୍ଥାନରେ ଆଇଏଏସ ଅବୋଲି ସୁନିଲ ନରୱଣେଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି ।
ଉଲ୍ଲେଖଥାଉ କି, ଅବୋଲି ସୁନିଲ ନରୱଣେ ଏବେ ସୁବର୍ଣ୍ଣପୁରର ଜିଲ୍ଲାପାଳ ଅଛନ୍ତି । ତୁରନ୍ତ ତାଙ୍କୁ ଦାୟିତ୍ୱ ନେବାକୁ କୁହାଯାଇଛି । ସୋନପୁର ଏଡିଏମ୍ଙ୍କୁ ଦାୟିତ୍ୱ ଦେଇ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ତେବେ ଝାରସୁଗୁଡାର ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଅଦଳ ବଦଳ କରାଯାଇ ଥିବା ଚର୍ଚ୍ଚା ହେଉଛି ।

ମେ' ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏପ୍ରିଲ ୧୩ ତାରିଖରେ ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୨୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଏପ୍ରିଲ ୨୪ ରହିଛି । ମେ' ୧୦ରେ ଭୋଟ୍ ପରେ ୧୩ ତାରିଖରେ ଗଣତି ହେବ। ଉପନିର୍ବାଚନର ଏହି ପୂରା ପ୍ରକ୍ରିୟା ମେ' ୧୫ ତାରିଖରେ ଶେଷ ହେବ ।
ଏହି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ଆସନରୁ ତାଙ୍କ ବାପା ନବ କିଶୋର ଦାସ ବିଧାନସଭାକୁ ଯାଇଥିଲେ । ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଥିଲା । ତା'ପରଠୁ ଏହି ଆସନଟି ଖାଲିପଡ଼ିଛି । ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରି ନାହାନ୍ତି ।












Click it and Unblock the Notifications