ଝାରସୁଗୁଡ଼ା ଉପନିର୍ବାଚନ: ଆଦିବାସୀ, ଅଘରିଆ ଭୋଟରଙ୍କ ହାତରେ ବିଜୟ ଚାବିକାଠି
ଝାରସୁଗୁଡ଼ା: ଜିଲ୍ଲାରେ ଉପନିର୍ବାଚନ ପାଇଁ ମଙ୍ଗଳବାରଠାରୁ ବିଧିବଦ୍ଧ ଭାବରେ ପ୍ରଚାର ଆରମ୍ଭ ହୋଇ ଯାଇଛି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ସମର୍ଥକଙ୍କୁ ଧରି ପ୍ରଚାର ମୈଦାନରେ ଝାଳ ବୁହାଉଛନ୍ତି । ଝାରସୁଗୁଡ଼ାରେ ଗ୍ରୀଷ୍ମ ତାତି ସାଙ୍ଗକୁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଲାଣି ।
ତେବେ ଝାରସୁଗୁଡ଼ା ଉପନିର୍ବାଚନ ଆଉ ୧୨ ଦିନ । ଆସନ୍ତା ମେ' ୮ ତାରିଖରେ ପ୍ରଚାର ଶେଷ ହେବ । ଏହା ଭିତରେ କିପରି ଭୋଟରଙ୍କୁ ଆକୃଷ୍ଟ କରାଯିବ ସେ ନେଇ ସବୁ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରି ସାରିଛନ୍ତି । ବିଶେଷ କରି ନିର୍ବାଚନରେ ଗୁରୁତ୍ୱବହନ କରୁଥିବା ବିଭିନ୍ନ ଜାତିର ନେତାମାନଙ୍କୁ ନିଜ ପକ୍ଷକୁ ନେବା ପାଇଁ କରସତ ଆରମ୍ଭ କରି ଦେଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ାରେ ଭୋଟରଙ୍କ ସିଂହଭାଗ ହେଉଛନ୍ତି ଆଦିବାସୀ ଓ ଅଘରିଆ ସମାଜ । ତେଣୁ ଏହି ଭୋଟ ଉପରେ ଏବେ ସବୁ ଦଳର ନଜର । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ଆଦିବାସୀ ମତଦାତାଙ୍କ ସଂଖ୍ୟା ୪୮ ପ୍ରତିଶତ ଥିବାବେଳେ ଅଘରିଆ ଜାତିର ମତଦାତାଙ୍କ ସଂଖ୍ୟା ୨୩ ପ୍ରତିଶତ ରହିଛି । ଏହି ଦୁଇଟି ଜାତିର ୭୧ ପ୍ରତିଶତ ଭୋଟରୁ ଯେଉଁ ଦଳକୁ ଅଧିକ ସମର୍ଥନ ମିଳିବ ସେହି ଦଳ ନିର୍ବାଚନରେ ବିଜୟ ଟିକା ପିନ୍ଧିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି । ଯଦିଓ ବିଗତ ଦିନରେ ଝାରସୁଗୁଡ଼ା ରାଜନୀତିରେ ଜାତିଗତ ସମୀକରଣକୁ ଏତେଟା ସଫଳତା ମିଳିନି, ତଥାପି ଉପନିର୍ବାଚନ ପରିପ୍ରେକ୍ଷୀରେ ୩ ପ୍ରମୁଖ ରାଜନୈତିକ ଦଳ ଏହା ଉପରେ ବିଶେଷ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି ।
ଉଲ୍ଲେଖଥାଉ କି, ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ ୭୧,୧୧୩ ଭୋଟର ଥିବା ବେଳେ ଝାରସୁଗୁଡ଼ା ସଦର ବ୍ଳକରେ ୩୮, ୫୪୬, କିର୍ମିରା ବ୍ଲକରେ ୩୩, ୯୦୧, କୋଲାବିରା ବ୍ଳକରେ ୩୭, ୮୧୦ ଓ ଲଇକେରା ବ୍ଲକରେ ୩୯,୭୦୯ ଭୋଟର ରହିଛନ୍ତି ।
ଆଦିବାସୀ ଭୋଟରଙ୍କ ସଂଖ୍ୟା ମୋଟ ଭୋଟରଙ୍କ ପ୍ରାୟ ୪୮ ପ୍ରତିଶତ । ବିଶେଷକରି ଲଇକେରା, କିରମିରା ଓ କୋଲାବିରା ବ୍ଲକରେ ଏହି ହାର ଯଥେଷ୍ଟ ଅଧିକ । ଝାରସୁଗୁଡ଼ା ସଦର ବ୍ଲକ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ୨୮ ପ୍ରତିଶତ ଆଦିବାସୀ ଭୋଟର ଅଛନ୍ତି । ସେହିପରି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ସର୍ବାଧିକ ଭୋଟର ହେଉଛନ୍ତି ଅଘରିଆ ସମାଜର । କୋଲାବିରା ଓ କିରମିରା ବ୍ଲକରେ ଏହି ଭୋଟରଙ୍କ ସଂଖ୍ୟା ସହର ତୁଳନାରେ ଅଧିକ ରହିଛି । ଯଦି ଉଭୟ ଆଦିବାସୀ ଓ ଅଘରିଆ ସମାଜ ଭୋଟରଙ୍କୁ ହିସାବକୁ ନିଆଯାଏ, ତେବେ ଏହା ମୋଟ ଭୋଟରଙ୍କ ୭୧ ପ୍ରତିଶତ । ଅର୍ଥାତ କୌଣସି ଦଳ ଯଦି ଉଭୟ ସମାଜର ଭୋଟ ହାତେଇବାରେ ସଫଳ ହୁଏ, ତେବେ ତାର ଏକତରଫା ବିଜୟ ସୁନିଶ୍ଚିତ ।
ଏହି ଦୁଇ ଜାତି ମଧ୍ୟରେ ଥିବା ପ୍ରଭାବଶାଳୀ ନେତାମାନଙ୍କୁ ନିଜ ପକ୍ଷକୁ ନେବା ପାଇଁ ଖାସକରି ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଏହି ଦିଗରେ ଶାସକ ବିଜେଡି ଆଗରେ ଥିବା ଜଣାପଡ଼ିଛି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆଦିବାସୀ ସମାଜର ଦୁଇଟି ପ୍ରଭାବଶାଳୀ ସଂଗଠନ ରହିଛି । ଗୋଟିଏ ସଂଗଠନ କଂଗ୍ରେସ ନେତା ମହେନ୍ଦ୍ର ନାଏକଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବାବେଳେ ଅନ୍ୟ ଗୋଷ୍ଠୀଟି ସ୍ୱର୍ଗତ ନବ ଦାସଙ୍କ ଇଶାରାରେ ପରିଚାଳିତ ହେଉଥିଲା । କାରଣ ଆଦିବାସୀମାନେ ନବ ଦାସଙ୍କୁ ପସନ୍ଦ କରୁନଥିବାରୁ ଶ୍ରୀ ଦାସ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ଏକ ସମାନ୍ତରାଳ ସଂଗଠନ କରି ସେମାନଙ୍କ ସମର୍ଥନ ପାଇବାରେ ସଫଳ ହୋଇଥିଲେ । ଏବେ କଂଗ୍ରେସର ଆଦିବାସୀନେତା ମହେନ୍ଦ୍ର ନାଏକ ବିଜେଡିରେ ଯୋଗ ଦେଇଛନ୍ତି । କିନ୍ତୁ ବିଜେଡିରେ ମହେନ୍ଦ୍ରଙ୍କ ଯୋଗଦାନ ଯୋଗୁଁ ପୂର୍ବରୁ ନବଙ୍କୁ ସମର୍ଥନ କରୁଥିବା ଆଦିବାସୀ ସଂଗଠନର ନେତାମାନେ ଅସନ୍ତୋଷ ହୋଇ ଏବେ କଂଗ୍ରେସ ଓ ବିଜେପି ମୁହାଁ ହୋଇଛନ୍ତି । ଫଳରେ ସମଗ୍ର ଆଦିବାସୀ ସମାଜର ଭୋଟ ବିଜେଡି ହାସଲ କରିବାର ଯେଉଁ ଅଙ୍କ କଷୁଛି, ତାହା ସଫଳ ହେବ କି ଭୁଲ ପ୍ରମାଣିତ ହେବ ସମୟ କହିବ ।
ବିଜେଡି ଭଳି ବିଜେପି ମଧ୍ୟ ଏହି ଆଦିବାସୀ ମତଦାତାମାନଙ୍କୁ ନିଜ ଆଡ଼କୁ ଟାଣିବାରେ ପ୍ରୟାସ ଜାରି ରଖିଛି । ସ୍ଥାନୀୟ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ସହିଦ କରୁଣାକର ସିଂହଙ୍କ ପରିବାରର ସଦସ୍ୟ ଅମରେନ୍ଦ୍ର ପ୍ରତାପ ସିଂହଙ୍କୁ ଦଳରେ ସାମିଲ କରିଛି । ତେଣୁ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ୪୮ ପ୍ରତିଶତ ଆଦିବାସୀ ମତଦାତାଙ୍କ ମଧ୍ୟରୁ କିଛି ଭୋଟ ନିଜ ଆଡ଼କୁ ନେବାକୁ ବିଜେପି ସଫଳ ହୋଇପାରେ ବୋଲି ଆକଳନ କରାଯାଉଛି । ଆଦିବାସୀ ମତଦାତାଙ୍କ କେତେ ପ୍ରତିଶତ ଭୋଟ ବିଜେପି ନେବ ତାହା କିଛି ସ୍ପଷ୍ଟ ହୋଇପାରୁନାହିଁ । ଏକଥା ସ୍ଫଷ୍ଟ ଯେ ଆଦିବାସୀ ମତଦାତାଙ୍କ ଭୋଟ କୌଣସି ଗୋଟିଏ ଦଳକୁ ଯିବ ବୋଲି କୁହାଯାଇ ନପାରେ ।
ସେପଟେ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ କଡା ନଜର ରଖାଯାଉଛି । ଏଥିପାଇଁ ଭାରତୀୟ ରାଜସ୍ବ ସେବା ଅଧିକାରୀ ଡକ୍ଟର ରବିରାଜ ଖୋଗରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଛନ୍ତି । ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଖର୍ଚ୍ଚ କରୁଛନ୍ତି କି ନାହିଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ତାହା ତଦାରଖ କରିବେ । ନିର୍ବାଚନୀ ଖର୍ଚ୍ଚ ସମ୍ବନ୍ଧୀୟ କୌଣସି ଅଭିଯୋଗ ଥିଲେ ମୋବାଇଲ ନମ୍ବର ୮୮୯୫୮୧୯୪୫୨ ଯୋଗେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଯୋଗାଯୋଗ କରିବାକୁ ଅବଗତ କରାଯାଇଛି ।
ସେହିପରିଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ମେ' ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ବିଜେଡି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ । ତେବେ ଦୀପାଳି ଦାସଙ୍କ ପାଇଁ କେଉଁ ତାରିଖରେ ନବୀନ ପ୍ରଚାର କରିବେ ସେନେଇ ଏଯାଏ ନିଷ୍ପତ୍ତି ହୋଇ ନାହିଁ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବୀନ କେବଳ ଗୋଟିଏ ଦିନ ପାଇଁ ପ୍ରଚାର କରିବେ ।












Click it and Unblock the Notifications