ଝାରସୁଗୁଡା ଉପନିର୍ବାଚନ: ସଂନ୍ଧ୍ୟା ୭ ସୁଦ୍ଧା ୬୦ ପ୍ରତିଶତ ମତଦାନ ରେକର୍ଡ
ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନରେ ଚାଲିଛି ମତଦାନ । ସଂଧ୍ୟା ୭ଟା ସୁଦ୍ଧା ୭୫.୬୦ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ସମାପ୍ତ ହୋଇଛି। ତେବେ ସନ୍ଧ୍ଯା ୭ଟା ବେଳକୁ ୫ଟି ବୁଥରେ ମତଦାନ ଜରିରହିଥିଲା। ଅଧିକ ସଂଖ୍ୟକ ମତଦାତାଙ୍କ ଉପସ୍ଥିତି ଯୋଗୁ ଏହିସବୁ ବୁଥରେ ମତଦାନ ଅଧିକ ସମୟ ଧରି ଚାଲିଥିବା ଜଣାପଡୁଛି।
ଆଜି ପ୍ରଥମେ ମକ୍ ପୋଲ୍ ସକାଳ ୫.୩୦ ରେ ଆରମ୍ଭ ହେବା ପରେ ମତଦାନ ପକ୍ରିୟା ସକାଳ ୭.୦୦ଟା ରେ ଆରମ୍ଭ ହୋଇଥିଲା । ଉପନିର୍ବାଚନ ପାଇଁ ଏଥର ୨୫୩ଟି ବୁଥ କରାଯାଇଛି । ସେଥିମଧ୍ୟରୁ ୨୬ଟି ବୁଥକୁ ପିଙ୍କ୍ ବୁଥ ଏବଂ ୪୦ଟି ମଡେଲ ବୁଥ କରାଯାଇଛି । ଝାରସୁଗୁଡା ଉପନିର୍ବାଚନରେ ପ୍ରଥମ କରି ସବୁ ବୁଥରେ ୱେବକାଷ୍ଟିଂ କରାଯାଉଛି । ଜିଲ୍ଲାପାଳ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସିଧାସଳଖ ମତଦାନ କେନ୍ଦ୍ର ଦେଖି ପାରିବେ ।

ଏହି ଉପନିର୍ବାଚନରେ ଭୋଟ ଦେବା ପାଇଁ ୨,୨୧,୭୧୯ ଭୋଟର ଅଛନ୍ତି । ଯେଉଁଥିରେ ୧,୧୦,୬୧୯ ଜଣ ପୁରୁଷ ଏବଂ ୧,୧୧,୦୩୭ ଜଣ ମହିଳା ଏବଂ ୬୩ ଜଣ ତୃତୀୟ ଲିଙ୍ଗ ଏବଂ ୨୪୯ ଚାକିରୀଆ ଭୋଟର ଅଛନ୍ତି। ସେହିପରି ୨୫୩୪ ଭିନ୍ନକ୍ଷମ ଭୋଟର ଅଛନ୍ତି । ଏମାନେ ଯେପରି ସୁରକ୍ଷିତ ଭାବେ ଭୋଟ ଦେଇପାରିବେ ସେ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସେହିଭଳି ମଡେଲ ବୁଥରେ ବୟସ୍କ, ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିକ୍ଷାଳୟ, ଥଣ୍ଡା ପାନୀୟ ବ୍ୟବସ୍ଥା, ଦହି, ଲସି ଏବଂ ଲେମ୍ବୁପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେପଟେ ଉପନିର୍ବାଚନ ପାଇଁ ଝାରସୁଗୁଡା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହିତ ୧୧୮ଟି ଅଟୋ ଏବଂ ୨୫୩ଟି ହୁଇଲ ଚ୍ୟାୟାର ଏବଂ ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେଡିରୁ ଦୀପାଳି ଦାସ, କଂଗ୍ରେସରୁ ତରୁଣ ପାଣ୍ଡେ ଓ ବିଜେପିରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ୩ ନୂଆ ଚେହେରା ଉପ-ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।












Click it and Unblock the Notifications