ଅସହ୍ୟ ତାତି ସତ୍ତ୍ୱେ ଉପନିର୍ବାଚନ ପାଇଁ ଭୋଟ ଦେଉଛି ଝାରସୁଗୁଡା, ଅପରାହ୍ନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ
ଝାରସୁଗୁଡା: ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଅପରାହ୍ନ ୩ଟା ସୁଦ୍ଧା ଝାରସୁଗୁଡାରେ ୫୫.୨୦ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ତେବେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଜାରି ରହିଛି ।
ଆଜି ପ୍ରଥମେ ମକ୍ ପୋଲ୍ ସକାଳ ୫.୩୦ ରେ ଆରମ୍ଭ ହେବା ପରେ ମତଦାନ ପକ୍ରିୟା ସକାଳ ୭.୦୦ଟା ରେ ଆରମ୍ଭ ହୋଇଥିଲା । ଜନସାଧାରଣଙ୍କ ସୂଚନା ପାଇଁ ଦୁଇ ଘଣ୍ଟିଆ ଭୋଟିଂ ପ୍ରତିଶତ ରିପୋର୍ଟ ପ୍ରକାଶ ପାଉଛି ।

ତେବେ ଉପନିର୍ବାଚନ ପାଇଁ ଏଥର ୨୫୩ଟି ବୁଥ କରାଯାଇଛି । ସେଥିମଧ୍ୟରୁ ୨୬ଟି ବୁଥକୁ ପିଙ୍କ୍ ବୁଥ ଏବଂ ୪୦ଟି ମଡେଲ ବୁଥ କରାଯାଇଛି । ଝାରସୁଗୁଡା ଉପନିର୍ବାଚନରେ ପ୍ରଥମ କରି ସବୁ ବୁଥରେ ୱେବକାଷ୍ଟିଂ କରାଯାଉଛି । ଜିଲ୍ଲାପାଳ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସିଧାସଳଖ ମତଦାନ କେନ୍ଦ୍ର ଦେଖି ପାରିବେ ।
ଏହି ଉପନିର୍ବାଚନରେ ଭୋଟ ଦେବା ପାଇଁ ୨,୨୧,୭୧୯ ଭୋଟର ଅଛନ୍ତି । ଯେଉଁଥିରେ ୧,୧୦,୬୧୯ ଜଣ ପୁରୁଷ ଏବଂ ୧,୧୧,୦୩୭ ଜଣ ମହିଳା ଏବଂ ୬୩ ଜଣ ତୃତୀୟ ଲିଙ୍ଗ ଏବଂ ୨୪୯ ଚାକିରୀଆ ଭୋଟର ଅଛନ୍ତି। ସେହିପରି ୨୫୩୪ ଭିନ୍ନକ୍ଷମ ଭୋଟର ଅଛନ୍ତି । ଏମାନେ ଯେପରି ସୁରକ୍ଷିତ ଭାବେ ଭୋଟ ଦେଇପାରିବେ ସେ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସେହିଭଳି ମଡେଲ ବୁଥରେ ବୟସ୍କ, ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିକ୍ଷାଳୟ, ଥଣ୍ଡା ପାନୀୟ ବ୍ୟବସ୍ଥା, ଦହି, ଲସି ଏବଂ ଲେମ୍ବୁପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେପଟେ ଉପନିର୍ବାଚନ ପାଇଁ ଝାରସୁଗୁଡା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହିତ ୧୧୮ଟି ଅଟୋ ଏବଂ ୨୫୩ଟି ହୁଇଲ ଚ୍ୟାୟାର ଏବଂ ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେଡିରୁ ଦୀପାଳି ଦାସ, କଂଗ୍ରେସରୁ ତରୁଣ ପାଣ୍ଡେ ଓ ବିଜେପିରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ୩ ନୂଆ ଚେହେରା ଉପ-ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।












Click it and Unblock the Notifications