ବଲାଙ୍ଗିରରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ ପାଇଁ ଆସିଛନ୍ତି ?
ବଲାଙ୍ଗୀର: ବଲାଙ୍ଗୀର ଗସ୍ତରେ ଆସିଥିଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସେ କୌଣସି ରାଜନୈତିକ ସଭାରେ ଯୋଗଦେବା ପାଇଁ ଓଡ଼ିଶା ଆସିନାହାନ୍ତି । ଏକ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହେବା ପାଇଁ ଆସିଛନ୍ତି । ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ରଙ୍କ ବାପା ଓ ମାଆଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୀ ସୋରେନ୍ ଯୋଗ ଦେଇଛନ୍ତି ।
ତେବେ ବଲାଙ୍ଗୀର ସହର ତିକ୍ରାପଡାରେ ବାସ କରୁଥିବା ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୟ ମିଶ୍ରଙ୍କ ମା' ଜ୍ୟୋର୍ତିମୟୀ ମିଶ୍ରଙ୍କ ଗତ ଜୁନ୍ ମାସ ୧୭ ତାରିଖରେ ବିୟୋଗ ଘଟିଥିଲା । ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେଉଛନ୍ତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର । ସେ ହେଉଛନ୍ତି ବଲାଙ୍ଗିର ପୁଅ । ଜଷ୍ଟିସ୍ ମିଶ୍ରଙ୍କ ମାଆଙ୍କ ବିୟୋଗର ଦଶଦିନ ପରେ ତାଙ୍କ ପିତା ବରିଷ୍ଠ ଆଇନ୍ଜୀବୀ ମାର୍କଣ୍ଡ ମିଶ୍ରଙ୍କ ଦେହାନ୍ତ ହୋଇଥିଲା । ପୁଅ ଭାବରେ ମୁଖାଗ୍ନି ଦେଇ ମାଆ ଓ ବାପାଙ୍କ ଶୁଦ୍ଧିକ୍ରିୟା କରିଥିଲେ ଜଷ୍ଟିସ୍ ମିଶ୍ର ।

ତେବେ ମୁଖ୍ୟମନ୍ତ୍ରୀ ସୋରେନ୍ ଖବର ପାଇ ଦୁଃଖ ପ୍ରକାଶ କରିଥିଲେ । ତେବେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେହିଦିନ ସେ ଆସିପାରି ନଥିଲେ । ଶୁକ୍ରବାର ଜଷ୍ଟିସ ସଞ୍ଜୟ ମିଶ୍ରଙ୍କ ମାଆ ଓ ବାପାଙ୍କ ଶ୍ରାଦ୍ଧରେ ଯୋଗ ଦେଇ ଉଭୟଙ୍କ ପୂଜ୍ୟ ଆତ୍ମାର ସଦଗତି କାମନା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।
ଶ୍ରୀ ସୋରେନ୍ ସ୍ୱତନ୍ତ୍ର ପ୍ଲେନରେ ଝାଡ଼ଖଣ୍ଡରୁ ଆସି ତୁଷୁରା ଏୟାରଷ୍ଟ୍ରିପରେ ଓହ୍ଲାଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ତାଙ୍କୁ ଦ୍ଵାଦଶାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ହୋଟେଲକୁ ନିଆ ଯାଇଥିଲା ।
ସେଠାରେ ଶ୍ରୀ ସୋରେନ୍ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିରେ ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟର ବହୁ ମନ୍ତ୍ରୀ, ବିଚାରପତି ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ୍ଙ୍କ ସୁରକ୍ଷାରେ ୫ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର, ୨୦ଜଣ ଏସ୍ଆଇ ଓ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।












Click it and Unblock the Notifications