ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ପବିତ୍ର ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧଦିବସ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବଡ଼ଚଣାର ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ କହିଲେ ଯେ, ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ଜୟପ୍ରକାଶ ନାରାୟଣଙ୍କର ଜୀବନବ୍ୟାପୀ ସଂଗ୍ରାମ ତାଙ୍କୁ ଆଧୁନିକ ଭାରତର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି ।

ସେ ଥିଲେ ଜଣେ ମହାନ୍‌ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ଆଦର୍ଶର ଅନ୍ୟତମ ପ୍ରବକ୍ତା, ବିଚକ୍ଷଣ ରାଜନୀତିଜ୍ଞ ଓ ସାମାଜିକ ନ୍ୟାୟ ପାଇଁ ଅଙ୍ଗୀକାରବଦ୍ଧ ଜନନେତା । ତାଙ୍କର ଉଚ୍ଚ ଆଦର୍ଶ ଓ ବଳିଷ୍ଠ ନେତୃତ୍ୱ ଭାରତୀୟ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ଏକ ନିର୍ଭୀକ ତଥା ଭେଦଭାବ ବିହୀନ ସମାଜ ଗଠନ କରିବା ଥିଲା ତାଙ୍କର ସ୍ୱପ୍ନ । ସମ୍ପୂର୍ଣ୍ଣକ୍ରାନ୍ତିର ମହାନାୟକ ଥିଲେ ଜୟପ୍ରକାଶ ।

ବାଜି ରାଉତ ବିଶ୍ୱର ସର୍ବ କନିଷ୍ଠ ଶହୀଦ । ଭାରତର ଇତିହାସରେ ୧୯୩୮ ମସିହାର ଢେଙ୍କାନାଳ ଗଡ଼ଜାତ ଆନ୍ଦୋଳନରେ ବାଜି ରାଉତଙ୍କର ଆତ୍ମୋତ୍ସର୍ଗ ଜନମାନସରେ ଆଜି ମଧ୍ୟ ସ୍ପନ୍ଦନ ସୃଷ୍ଟି କରେ । ଜାତୀୟ ମୁକ୍ତି ଆନ୍ଦୋଳନରେ ନିଆଁ ଝୁଲଟିଏ ପରି ଦେଶାତ୍ମବୋଧର ଦିହୁଡ଼ି ଜାଳିଥିବା ବାଜି ରାଉତ ପ୍ରଚଣ୍ଡ ଦେଶପ୍ରୀତିର ଅନନ୍ୟ ପ୍ରତୀକ । ବାଜି ରାଉତଙ୍କର ଦେଶ ପାଇଁ ବଳିଦାନ କୋଟି ଜନମାନସରେ ସ୍ୱଦେଶ ପ୍ରୀତିର ମହାନ୍‌ ନିଦର୍ଶନ ହୋଇ ରହିଛି ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍‌ ଶ୍ରୀ ଗିରିଶ ପ୍ରସାଦ ସ୍ୱାଇଁ କହିଲେ ଯେ, ଗାନ୍ଧିଜୀଙ୍କର ଆହ୍ୱାନ ଆମେରିକା ଫେରନ୍ତା ଜୟପ୍ରକାଶଙ୍କ ମନରେ ଦେଶପ୍ରେମର ଭାବ ଜାଗ୍ରତ କରିଥିଲା । ଜୟପ୍ରକାଶ ଚାହିଁଥିଲେ ସମାଜର ତିନି ସ୍ତରରେ ଯଥା ରାଜନୈତିକ, ଅମଲାତାନ୍ତ୍ରିକ ଓ ସାମାଜିକ ସ୍ତରରେ ଊଦ୍ଧ୍ୱର୍ରୁ ନିମ୍ନସ୍ତର ପର୍ଯ୍ୟନ୍ତ ଆମୂଳଚୂଳ ପରିବର୍ତ୍ତନ ହେଉ । ସମାଜବାଦୀ ଆଦର୍ଶ ତଥା ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ । ସେ ଥିଲେ ସଚ୍ଚୋଟତାର ଏକ ନୂତନ ପରିଭାଷା । ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ, ରାଜନୈତିକ ଆଦର୍ଶ ଏବଂ ଏକଛତ୍ରବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ସେ ଅମର ହୋଇ ରହିବେ ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରି ଲୋକନାୟକ ଜୟପ୍ରକାଶଙ୍କୁ ଭେଦଭାବ ବିହୀନ ସମାଜ ଗଠନ ତଥା ଭୂଦାନ ଓ ଗ୍ରାମଦାନ କାର୍ଯ୍ୟରେ ଅଗ୍ରଦୂତ ଭାବେ ବର୍ଣ୍ଣନା କରିବା ସହିତ ଭାରତବର୍ଷରେ ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜିରାଉତଙ୍କ ବଳିଦାନ ଅତୁଳନୀୟ ବୋଲି କହିଥିଲେ ।

'ତରଙ୍ଗ' ସାମାଜିକ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିଷେଣ କରାଯାଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ଓ ସ୍ଵାତୀ ସ୍ନିଗ୍ଧା ସୁଆର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+