ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ଘଟଣା, ଖୋର୍ଦ୍ଧା ଗଲା ଜନସ୍ବାସ୍ଥ୍ୟ ଟିମ୍
ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା ପରେ ଭୁବନେଶ୍ୱରରୁ ଜନସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ବିଦ୍ୟାଳୟକୁ ଯାଇଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯାଉଛି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବ।
ସୂଚନା ଥାଉକି, ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ପିଏମ୍ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ସହିତ ୩୫ ଛାତ୍ରୀଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଏକାଧିକ ପିଲା ଥଣ୍ଡାଜ୍ୱରରେ ପୀଡ଼ିତ ଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଛି ବୋଲି ବିଦ୍ୟାଳୟ ଉପାଧ୍ୟକ୍ଷ ନୃସିଂହ ନାଥ ଚକ୍ର ସୂଚନା ଦେଇଛନ୍ତି। ଦୂଷିତ ପାଣି ବ୍ୟବହାରରୁ ଏଭଳି ଘଟଣା ଘଟିଥିବା କେତେଜଣ ଅଭିଭାବକ ଗଣମାଧ୍ୟମରେ କହିଛନ୍ତି। ତେବେ କାହିଁକି ଏତେ ସଂଖ୍ୟକ ଛାତ୍ରୀଛାତ୍ର ଆକ୍ରାନ୍ତ ହୋଇଛନ୍ତି, ସେ ସମ୍ପର୍କରେ ବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ପିଲାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କୌଣସି ବାହାର ଖାଦ୍ୟ କିମ୍ବା ରନ୍ଧା ଖାଦ୍ୟ ଦିଅନ୍ତୁ ନାହିଁ, ବାହାର ଖାଦ୍ୟ ଖାଇବା ଫଳରେ ପିଲାଙ୍କ ଦେହ ଖରାପ ହେବା ସହ ପରିବେଶ ପ୍ରଦୂଷଣ ହେଉଛି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ନୋଟିସ ବୋଡର୍ର୍ରେ ସୂଚନା ଦେଇ ନିଜ ଉପରୁ ଦୋଷ ଖସାଇ ନେଇଛନ୍ତି। ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ପାଇଁ ଅଭିଭାବକମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଅନ୍ୟପଟେ ପିଲାମାନେ ବ୍ୟବହୃତ କରୁଥିବା ପାଣି ନମୁନା ପରୀକ୍ଷଣ ପାଇଁ ଭୁବେନଶ୍ୱର ପରୀକ୍ଷାଗାରକୁ ପଠାଯାଇଥିବା ଜଣାପଡ଼ିଛି।

ମୁତାବକ, ଏହି ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୭୦ ଛାତ୍ରୀଛାତ୍ର ଛାତ୍ରାବାସରେ ରହି ବିଦ୍ୟା ଅଧ୍ୟୟନ କରୁଛନ୍ତି। କିଛିଦିନ ହେବ ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅବନତି ଘଟୁଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନ ଥିଲେ। ରବିବାର ଅପରାହ୍ନରେ ହଠାତ୍ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସିତ ହୋଇ ଫେରିବା ପରେ ଘଟଣା ପଦାକୁ ଆସିଥିଲା। ପରେ ପିଲାମାନଙ୍କ ପରିବାର ଲୋକଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଡକାଇ ଘରକୁ ପଠାଇବା ବ୍ୟବସ୍ଥା କରିଛନ୍ତି। ଦୂଷିତ ପାନୀୟଜଳ ବ୍ୟବହାରରୁ ପିଲାମାନେ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି ବୋଲି କେତେଜଣ ଅଭିଭାବକ ଅଭିଯୋଗ ଆଣିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଏଠାରେ ଉପଯୁକ୍ତ ମୌଳିକ ସୁବିଧା ମିଳୁନାହିଁ, ପିଲାଙ୍କ ପାଠପଢ଼ା ବ୍ୟାହତ ହେବା ଆଶଙ୍କାରେ ଅଭିଭାବକମାନେ ନୀରବ ରହୁଛନ୍ତି ବୋଲି ଜଣେ ଅଭିଭାବକ ନିଜ ନାମ ଗୋପନ ରଖି ଗଣମାଧ୍ୟମରେ କହିଛନ୍ତି। ଅନ୍ୟପକ୍ଷରେ ଏନେଇ ବିଦ୍ୟାଳୟ ଉପାଧ୍ୟକ୍ଷ ନୃସିଂହ ନାଥ ଚକ୍ର କହିଛନ୍ତି ଯେ, ଗତ ଛୁଟିରେ ପିଲାମାନେ ଘରକୁ ଯାଇ ଫେରିଥିଲେ। ସେଥିରୁ ଜଣଙ୍କ ଦେହ ଖରାପ ଥିଲା। ପରୀକ୍ଷା ପରେ ଜଣ୍ଡିସ ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ନଭେମ୍ବର, ଡିସେମ୍ବର ମାସରେ କେତେଜଣଙ୍କୁ ଥଣ୍ଡା ଜ୍ୱର ହୋଇଥିଲା।












Click it and Unblock the Notifications