ପବିତ୍ର ଜନ୍ମାଷ୍ଟମୀ: ଶ୍ରୀମନ୍ଦିରରେ ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସଂନ୍ଧ୍ୟା ଧୂପ ଶେଷ ହେବା ପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ବେଶ୍ ନିଷ୍ଠାର ସହ ପାଳିତ ହେବ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଜୟବିଜୟ ଦ୍ୱାର ନିକଟକୁ ଅଣାଯିବା ପରେ ସେଠାରେ ମହାଜନ ସେବାୟତ ମାନେ ନିଶାର୍ଦ୍ଧରେ ଏହି ନୀତି ପାଳନ କରିବେ । ଏଥିପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ବେଶ୍ ଗହଳି ଲାଗିଥିବା ବେଳେ ବିଭିନ୍ନ ମଠ ମାନଙ୍କରେ ମଧ୍ୟ ବେଶ୍ ଉତ୍ସାହର ସହ ଏହି ଉତ୍ସବକୁ ପାଳନ କରାଯାଉଛି ।

ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମ ନୀତି । ଶ୍ରୀକୃଷ୍ଣ ଜନ୍ମନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ସଂଧ୍ୟା ଆଳତୀ ପରେ ସଂଧ୍ୟା ୭ରୁ ରାତି ୧୧ଟା ଯାଏଁ ଦର୍ଶନ ବନ୍ଦ ।
ଆଜି ଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ କଂସ ବଦ୍ଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଲୀଳା ମଧ୍ୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ସଂନ୍ଧ୍ୟା ଧୂପ ନୀତି ପରେ ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ କରାଯିବ । ଏହି ଅବସରରେ ସଂନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ତାର ଘର ସମ୍ମୁଖ ଭାଗରେ ପୂଜାପଣ୍ତା ସେବାୟତ ମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ତଳୀ ଅଙ୍କନ କରିଥାନ୍ତି । ସେଠାରେ ସୁନାର କୃଷ୍ଣ ମୂର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ଅଣାଯାଇଥାଏ। ମହାଜନ ସେବକ ଦୁଇଜଣ ଦେବକୀ ଓ ବସୁଦେବ ହୋଇ ଏହି ଜନ୍ମନୀତି ପାଳନ କରିଥାନ୍ତି ।
ସ୍ବତନ୍ତ୍ର ନୀତିକାନ୍ତି-
ଏହାପରେ ମଦନମୋହନଙ୍କୁ ନାଭିକଟା ମଣ୍ତପକୁ ନିଆଯାଇ କୃଷ୍ଣଜନ୍ମ ଠାରୁ ଉପନୟନ ପର୍ଯ୍ୟନ୍ତ ସମସ୍ତ ନୀତି ଅନୁଷ୍ଠିତ ହୁଏ। ସେହିପରି ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯାଇଥାଏ। ଗତକାଲି ସଂନ୍ଧ୍ୟା ଆଳତୀ ବେଶରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ଅନ୍ୟପଟେ ଆଜି ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଅହେତୁକ ଭିଡ ଜମିଛି । ସମସ୍ତଙ୍କ ମନରେ ଆଶା ଓ ବିଶ୍ୱାସ ପ୍ରଭୁ ଶ୍ରୀକୃଷ୍ଣ ହିଁ ଏ ସଂସାରରୁ ରୋଗ ମୁକ୍ତ କରାଇବେ । ତେବେ ଜନ୍ମାଷ୍ଟମୀ ପାଇଁ ଆଜି ବିଶେଷ ନୀତିକାନ୍ତି ଥିବାରୁ ଏହାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି । ସେହିପରି ବିଭିନ୍ନ ମଠ ମାନଙ୍କରେ ବେଶ୍ ଆନନ୍ଦ ଉଲ୍ଲାସର ସହ ଜନ୍ମାଷ୍ଟମୀ ପାଳନ କରାଯାଉଛି ।












Click it and Unblock the Notifications