ଆଜି ଖୋଲାଯାଇପାରିଲାନି, ଆଉ ଦିନେ ଖୋଲାଯିବ: ଅରବିନ୍ଦ ପାଢୀ
ପୁରୀ: ରତ୍ନଭଣ୍ଡାର ଖୋଲାଯିବା ପରେ ଏବେ ରତ୍ନଭଣ୍ଡାର ଭିତରୁ ବାହାରିଛନ୍ତି ଅଧିକୃତ ସଦସ୍ୟ । ବାହାରକୁ ବାହାରିବା ପରେ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି , ଏସଓପି ମୁ୍ତାବକ ସମସ୍ତ କାର୍ଯ୍ୟ ହୋଇଛି । ଅରବିନ୍ଦ ପାଢୀଙ୍କ କହିବା ମୁତାବକ ବାହାର ରତ୍ନଭଣ୍ଡାରରୁ ଯାହା ବାହାରକୁ ବାହାର କରିବା କଥା ସମସ୍ତ ଜିନିଷ ବାହାର କରାଯାଇ ତାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଚେଙ୍ଗଡା ଘରେ ରଖାଯାଇଛି ।
ଜଷ୍ଟିସ ରଥ ଓ ମେକାପ ସଦସ୍ୟଙ୍କ ସାମ୍ନାରେ ସବୁ ଜିନିଷ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି । ଏହାସହ ସ୍ଥାନାନ୍ତର ହୋଇଥିବା ସମସ୍ତ ଜିନିଷର ତାଲିକା ପ୍ରସ୍ତୁତ କରାଯାଇଛି । ଏବେ ବାହାର ରତ୍ନଭଣ୍ଡାରକୁ ସିଲ୍ କରାଯାଇଛି । ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି , ଭିତର ଭଣ୍ଡାର ତାଲା ଭାଙ୍ଗିବା ପରେ ମାର୍ଗଦର୍ଶିକା ଅନୁଯାୟୀ ୧୨ ଜଣିଆ ଟିମ୍ ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।

ଯେଉଁଠି ସୁନା ଅଳଙ୍କାର ସବୁ ସିନ୍ଧୁକ ଏବଂ ଆଲମାରୀରେ ରହିଛି । ତେବେ ସମୟ ଅଭାବରୁ କମିଟି ଆଜି ସେସବୁକୁ ଗଣନା କରିବା ଏବଂ ସ୍ଥାନାନ୍ତର ପାଇଁ ସମ୍ଭବ ନୁହେଁ । ଏହାବାଦ ଆସନ୍ତାକାଲି ବାହୁଡା ଯାତ୍ରା ଥିବାରୁ ଭିତରଭଣ୍ଡାର ଅଳଙ୍କାରକୁ ଆଉ ସ୍ଥାନାନ୍ତର କରାଯାଇ ନାହିଁ । ବାହୁଡ଼ା, ସୁନାବେଶ ସରିବା ପରେ ଆଉ ଦିନେ ନିର୍ଦ୍ଧାରଣ କରାଯିବ ।
ଦିନ ନିର୍ଦ୍ଧାରଣ କରାଯାଇ ସେହିଦିନ ଭିତର ଭଣ୍ଡାର ଖୋଲିବୁ । ଭିତର ଭଣ୍ଡାର ଅଳଙ୍କାରକୁ ଖଟଶେଜ ଘରକୁ ସ୍ଥାନାନ୍ତର କରାଯିବ । ଅଳଙ୍କାର ସ୍ଥାନାନ୍ତରଣ ପରେ ଏଏସ୍ଆଇ ରକ୍ଷଣାବେକ୍ଷଣ କାମ କରିବ । ଏହାସହ ବାହୁଡା ଯାତ୍ରା ଏବଂ ସୁନା ବେଶ ସରିବା ପରେ କମିଟି ବୈଠକରେ ଦିନ ଧାର୍ଯ୍ୟ କରି ଭିତର ଭଣ୍ଡାର ଅଳଙ୍କାର ଗଣନା କରିବେ ବୋଲି ସୂଚନ ଦେଇଛନ୍ତି ଅରବିନ୍ଦ ପାଢ଼ୀ ।












Click it and Unblock the Notifications