ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଭାଇଭଉଣୀଙ୍କ ସହ ଜନ୍ମବେଦୀକୁ ଯିବେ ମହାପ୍ରଭୁ
Rath Yatra 2024: ବଡ଼ ଦାଣ୍ତକୁ ଓହ୍ଲାଇ ଆସିବେ ଶ୍ରୀଜିଉ । ଭାଇଭଉଣୀଙ୍କ ସହ ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଶ୍ରୀଜିଓଙ୍କ ଦର୍ଶନ ପାଇଁ ପୁରୀ ବଡ଼ ଦାଣ୍ତ ଲୋକାରଣ୍ୟ । ଏଥର ଦୁଇ ଦିନ ରଥ ଟାଣିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ । ୫୩ ବର୍ଷ ପରେ ବିରଳ ସଂଯୋଗ ପଡ଼ିଛି ।

୧୯୭୧ ପରେ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ତେଣୁ ଏଥର ଦୁଇ ଦିନ ଧରି ରଥଟଣା ଯିବ। ଗୋଟିଏ ଦିନରେ ଶ୍ରୀଜୀଉଙ୍କ ଏକାଧିକ ନୀତି ପଡ଼ୁଥିବାରୁ ଆଜି ଅପରାହ୍ନରେ ରଥ ଟାଣିବାକୁ ନିଷ୍ପତ୍ତି କରିଛି ଶ୍ରୀମନ୍ଦିର ପରିଚାଳନା କମିଟି।
ଏଥର ୧୫ ଦିନ ପରିବର୍ତ୍ତେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହୋଇଥିଲା । ସେହିପରି ଦୁଇ ଦିନ ରଥଟଣା ପରେ ୧୫ଜୁଲାଇରେ ବାହୁଡ଼ା ଓ ୧୭ତାରିଖରେ ହେବ ଶ୍ରୀଜୀଉଙ୍କ ସୁନାବେଶ। ଏଥର ରଥଯାତ୍ରା ସହ ନେତ୍ରଉତ୍ସବ ଓ ନବଯୌବନ ପଡୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିବ ହେବେ ।
ରଥଯାତ୍ରାର ସୁପରିଚାଳନା ନିମନ୍ତେ ୯୦ ଜଣ ଅଫିସରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ୯୦ ଜଣ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର ।ଚଳିତ ଥର ରଥଯାତ୍ରାରେ ୪ ଅତିରିକ୍ତ ଡିଜି, ୬ ଆଇଜି ଓ ଡିଆଇଜି ପାହ୍ୟା ଅଧିକାରୀ ରହିବେ । ୧୯ ଏସ୍ପି ପାହ୍ୟାର, ଡିଏସ୍ପି ପାହ୍ୟାର ୭୫ ଜଣ ମୁତୟନ ହେବେ ।
ରଥାଯାତ୍ରା ନୀତି ନିର୍ଘଣ୍ଟ
ଆଜି ଅର୍ଥାତ୍ ରବିବାର ଦିନ ୧୧ଟାରେ ରଥ ପ୍ରତିଷ୍ଠା ହେବ ।
ଦିନ ୧ଟା ୩୦ରୁ ୨ଟା ୩୦ ପହଣ୍ତିବିଜେ ।
ଗଜପତି ମହାରାଜଙ୍କ ଛେରାପହଁରା ଅପରାହ୍ନ ୪ଟାରେ ଆରମ୍ଭ ।
ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ ।
ଆସନ୍ତା କାଲି ଅର୍ଥାତ୍ ସୋମବାର ଦିନ ଗୁଣ୍ତିଚା ମନ୍ଦିରରେ ପହଞ୍ଚିବେ ତିନିରଥ ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଉପରେ ମୋହର ଲାଗିଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଓ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।












Click it and Unblock the Notifications