ପୁଣି ଅଦିନରେ ଇସ୍କନ କରିବ ରଥଯାତ୍ରା; ପ୍ରଶ୍ନ ଉଠାଇଲେ ଜଗନ୍ନାଥ ପ୍ରେମୀ
ପୁଣି ଅଦିନରେ ଇସ୍କନ କରିବ ରଥଯାତ୍ରା । ରଥାରୂଢ଼ ଠାକୁରଙ୍କ ତ୍ରୁଟିପୂର୍ଣ୍ଣ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆସନ୍ତାକାଲି ଇଂଲଣ୍ଡର ଚେମ୍ସଫୋର୍ଡରେ ଆୟୋଜିତ ହେବ ରଥଯାତ୍ରା । ଇସ୍କନ ତରଫରୁ ଏହି ରଥଯାତ୍ରା ଆୟୋଜନ କରିବାକୁ ହେଉଛି ପ୍ରସ୍ତୁତି ।
ଆଧ୍ୟାତ୍ମିକ ୟ୍ୟୁଟୁବର ଗୋବିନ୍ଦ କୃଷ୍ଣ ଦାସଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ସେୟାର କରିଥିବା ଏକ ପୋଷ୍ଟରରେ ଆସନ୍ତାକାଲି ରଥଯାତ୍ରା ଆୟୋଜନ କରିବା ନେଇ ଲେଖା ରହିଛି । ସ୍ୱତନ୍ତ୍ର ଅତିଥି ଭାବେ ଗୋବିନ୍ଦ କୃଷ୍ଣ ଦାସଙ୍କୁ ଦର୍ଶାଯାଇଛି । ତେବେ କେବଳ ଅଦିନ ରଥଯାତ୍ରା ନୁହେଁ ତ୍ରୁଟିପୂର୍ଣ୍ଣ ରଥାରୂଢ଼ ମହାପ୍ରଭୁଙ୍କ ଚିତ୍ର ଏହି ପୋଷ୍ଟରେ ରହିଛି । ବଳଭଦ୍ର ତାଳଧ୍ୱଜ ରଥରେ ମହାପ୍ରଭୁ ଜଗନ୍ନାଥ, ନନ୍ଦିଘୋଷରେ ଦେବୀ ସୁଭଦ୍ରା ଓ ଦେବଦଳନ ରଥରେ ବଡ଼ଠାକୁରଙ୍କ ରଥାରୂଢ଼ ଚିତ୍ର ଦର୍ଶାଇ ମର୍ଯ୍ୟାଦା କ୍ଷୁଣ୍ଣ କରିଛି ଏହି ପୋଷ୍ଟର ।

ବେଲିମେଡୋ ପାର୍କରୁ ସେଣ୍ଟ୍ରାଲ ପାର୍କ ପର୍ଯ୍ୟନ୍ତ ପରେଡ ରହିଥିବା ବେଳେ ଦିନ ୧୨ଟାରୁ ୫ଟା ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରାରେ ନିଶୁଳ୍କ ପ୍ରସାଦ ପାଇଁ ପୋଷ୍ଟର ମାଧ୍ୟମରେ ବିଜ୍ଞପ୍ତି ରହିଛି । ଆୟୋଜକ ମାନଙ୍କର ଯୋଗାଯୋଗ ନମ୍ବର୍ ମଧ୍ୟ ରହିଛି । ସାଂସ୍କୃତିକ କାର୍ଯ୍ୟକ୍ରମ, ହେନା ଟାଟୁ, ଫେସ୍ ପେଣ୍ଟିଂ, ମ୍ୟାଜିକ୍ ସୋ', କୀର୍ତ୍ତନ, ଯୋଗ ଇତ୍ୟାଦିର ମଧ୍ୟ ବିଜ୍ଞପ୍ତି ରହିଛି । ସେପଟେ ଇସ୍କନ ଚେମ୍ସଫୋର୍ଡର ସୋସିଆଲ ଆକାଉଣ୍ଟରେ ମେ' ୧୮ ତାରିଖରେ ରଥଯାତ୍ରା ହେବା ନେଇ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି ।












Click it and Unblock the Notifications