କାଳ ହେଲା କାଳବୈଶାଖୀ ; ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୬ ଜଣଙ୍କ ମୃତ୍ୟୁ
କାଳ ସାଜିଲା କାଳବୈଶାଖୀ। ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬ଜଣଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଜିଲାରେ ବଜ୍ରପାତ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ ଜିଲାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗଜପତି ଜିଲାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

କୋରାପୁଟ ଜିଲା ଓଡ଼ିଆପେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ବିଲରେ ଏକାଧିକ ଲୋକ କାମ କରୁଥିଲେ। ସେତିକିବେଳେ ହଠାତ୍ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।
ସେହିପରି ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା କେବିରିବରପୁରରେ ବଜ୍ରପାତ ଘଟି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏପରିକି ପୋଲସରା କବିସୂର୍ଯ୍ୟନଗର କେ. ବରିଡ଼ା ଗାଁରେ ବଜ୍ରପାତରେ ଜଣେ ନାବାଳକ ମୃତ୍ୟୁ ଘଟିଛି। ଗଜପତି ଜିଲା ମୋହନା ଆର୍. ଉଦୟଗିରି କାନକଟା ଗ୍ରାମରେ ବଜ୍ରପାତ ଘଟି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
ଅନ୍ୟପକ୍ଷେ ଶୁକ୍ରବାର ରାଜ୍ୟର ୧୧ ଜିଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ହେଲେ ୭ ଜିଲାକୁ ୨ ଘଣ୍ଟିଆ ରେଡ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର।












Click it and Unblock the Notifications