ରାଜ୍ୟରେ ବଢିବ ତାତି, ଆଜିଠୁ ୫ ଦିନ ନିସ୍ତାର ନାହିଁ
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ । ତେବେ ଆଗାମୀ ଶୁକ୍ରବାର ଓ ଶନିବାର ସ୍ଥିତି ଆହୁରି ଭୟଙ୍କର ହେବ। ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଭୟଙ୍କର ଗୁଳୁଗୁଳି ହେବାର ସମ୍ଭାବନା ରହିଛି। ଯେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ତାପମାତ୍ର ୪୪ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି।ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ।

ଏହି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତକାଲି ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଉପରେ ଥିଲା । ୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର ପାଲଟିଛି । ନୟାଗଡ଼ରେ ୪୨.୨, ଭୁବନେଶ୍ୱର ଓ ବଲାଙ୍ଗିରରେ ୪୧.୮, ଅନୁଗୁଳରେ ୪୧.୭ ଓ ନୟାଗଡ଼ରେ ତାପମାତ୍ରା ୪୧.୫ ଡିଗ୍ରୀ ରେକର୍ଡ ହୋଇଛି ।
୨୬ ତାରିଖରେ ଫେରିବ ଗ୍ରୀଷ୍ମ ଲହରି । ୨୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୨ରୁ ୪ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ସମ୍ଭାବନା ରହିଛି । ସମ୍ଭାବ୍ୟ ହିଟୱେଭ୍ ନେଇ ୨୭ ତାରିଖରେ ରାଜ୍ୟର ଅଧା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଗତକାଲି ଭୁବନେଶ୍ୱର ପାଲଟିଥିଲା ସବୁଠାରୁ ଉତ୍ତପ୍ତ ।ଦିନ ଅଢ଼େଇଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୮ ଡିଗ୍ରୀ ସେଲସିୟସ ଥିଲା । ଚାନ୍ଦବାଲିରେ ୪୦.୪ ରହିଥିବା ବେଳେ ବାଲେଶ୍ୱରରେ ୪୦.୩ ଡିଗ୍ରୀ ପାର୍ କରିଥିଲା ପାରଦ । ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଆଗାମୀ ୪ ଦିନ ଯାଏଁ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେଣୁ ଲୋକଙ୍କୁ ସତର୍କତା ଅବଲମ୍ବନ ଜାରି ରଖିବାକୁ କୁହାଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ବୁଧବାର ଓ ଗୁରୁବାର ନୂଆପଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି। ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ (ଉଷ୍ମ-ଆଦ୍ରତା) ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେବାର ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରବଳ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିଦିନ ଅର୍ଥାତ ଶୁକ୍ରବାର ବାରିପଦା, ଅନୁଗୋଳ, ବୌଦ୍ଧ, ନୂଆପଡ଼ା, ଭବାନୀପାଟଣା, ସୋନପୁର ଜିଲ୍ଲାର ତାତି ୪୩ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ବାଲେଶ୍ୱର, ଯାଜପୁର, ଭୁବନେଶ୍ୱର, କଟକ, କେନ୍ଦୁଝର, ଢେଙ୍କାନାଳ, ନୂଆପଡ଼ା, ପାରଳାଖେମୁଣ୍ଡି, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗିର, ଟିଟିଲାଗଡ଼, ସମ୍ୱଲପୁର, ମାଲକାନଗିରି ଜିଲ୍ଲାର ତାପମାତ୍ର ୪୨ ଡିଗ୍ରୀ ରହିବ। ସେହିପରି ନବରଙ୍ଗପୁର, ବରଗଡ଼, ଫୁଲବାଣୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଚାନ୍ଦବାଲି, ଭଦ୍ରକ ଜିଲ୍ଲାର ତାପମାତ୍ରା ୪୧ ଡିଗ୍ରୀ ରହିପାରେ। ଏହାଛଡ଼ା ରାଉରକେଲାରେ ୪୦ ଡିଗ୍ରୀ, ଦେବଗଡ଼ରେ ୩୯ ଡିଗ୍ରୀ, କୋରାପୁଟରେ ୩୮ ଡିଗ୍ରୀ, ଗୋପାଳପୁରରେ ୩୫, ଛତ୍ରପୁରରେ ୩୫ ଡିଗ୍ରୀ, ପୁରୀରେ ୩୩ ଡିଗ୍ରୀ, ପାରାଦୀପର ତାମପାତ୍ରା ୩୫ ଡିଗ୍ରୀ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।












Click it and Unblock the Notifications