ଆଇଟି ରେଡ୍: ପାଞ୍ଚ ଦିନରେ ଜବତ ୪୫୪ କୋଟି, ମେସିନ ବି ଗଣିପାରୁନି
ଭୁବନେଶ୍ଵର: ପାଞ୍ଚ ଦିନରେ ଜବତ ହେଲା ୪୫୪ କୋଟି ୫୦ ଲକ୍ଷ ଟଙ୍କା । ଲୋକେ ଅବାକ୍, ମେସିନ ବି କାମ ଦେଲାନି । ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ଲିଙ୍କ୍ ନେଇ ଆୟକର ବିଭାଗ ଚଢାଉ ଜାରିରଖିଛି । ଆଉ ଏହି ୫ ଦିନରେ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମଳିଛି ।
ଓଡ଼ିଶାରୁ ମୋଟ ୪୪୮ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ସେଥିରୁ କେବଳ ବଲାଙ୍ଗୀରରୁ ୪୦୦ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ, ଟିଟଲାଗଡ଼ରୁ ୧୧ କୋଟି ଟଙ୍କା ଜବତ କରାଯାଇଛି ।
ଏସବୁ ଟଙ୍କା ଗଣିବା ପାଇଁ ପାଖାପାଖି ୫ ଦିନ ସମୟ ଲାଗିଛି। ଏହି ସମୟରେ ଆଇଟିର ଅଧିକାରୀ ଓ ବ୍ୟାଙ୍କ କର୍ମଚାରୀ ଘଣ୍ଟା ଘଣ୍ଟା ବସି ପୁଳା ପୁଳା ଟଙ୍କାର ନୋଟ୍ ଗଣତି କରିଛନ୍ତି ।

ରବିବାର ସନ୍ଧ୍ୟା ସୁଦ୍ଧା ବଲାଙ୍ଗିର, ଟିଟିଲାଗଡ଼ ଓ ସମ୍ବଲପୁରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ତିନି ଶାଖାର ବ୍ୟାଙ୍କ ଅଧିକାରୀ ପାଖାପାଖି ୪୦ରୁ ଅଧିକ ମେସିନ ଓ ୮୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରି ଟଙ୍କା ଗଣତି କରିଥିଲେ।
ଟିଟିଲାଗଡ଼ ଓ ସମ୍ବଲପୁର ଶାଖାରେ ଟଙ୍କା ଗଣତି ସରିଥିଲେ ମଧ୍ୟ ବଲାଙ୍ଗିରରେ ଟଙ୍କା ଗଣତିରେ କର୍ମଚାରୀ ହାଲିଆ ହୋଇ ପଡ଼ିଥିଲେ ।
କେବଳ ବଲାଙ୍ଗିର ଏସବିଆଇ ମୁଖ୍ୟ ଶାଖାରୁ ୩୦୫ କୋଟି ଟଙ୍କା ମିଳିଛି। ଦୀର୍ଘ ୫ ଦିନ ପରେ ବଲାଙ୍ଗିର ଶାଖାରେ ରବିବାର ରାତି ପ୍ରାୟ ସାଢେ ୮ଟାରେ ଗଣତି ଶେଷ ହୋଇଛି । ଏଠାରେ ୨୫ ମେସିନ ଓ ୫୦ ଜଣ କର୍ମଚାରୀ ଟଙ୍କା ଗଣତିରେ ନିୟୋଜିତ ହୋଇଥିଲେ।
ଏଥିରେ ୧୦୦ ଟଙ୍କିଆ, ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍ ସାମିଲ୍ ଥିଲା, ଯାହା ୧୭୬ ବ୍ୟାଗରେ ଭର୍ତ୍ତି ହୋଇଥିଲା। ବ୍ୟାଗଗୁଡ଼ିକୁ ବଲାଙ୍ଗିର ସହରର ସୁଧପଡ଼ା ଅଞ୍ଚଳରେ ସ୍ଥିତ ମଦ କମ୍ପାନୀର ଅଫିସରୁ ବଲାଙ୍ଗିର ଏସବିଆଇ ମୁଖ୍ୟ ଶାଖାକୁ ଅଣା ଯାଇଥିଲା।
ନୋଟ୍ ଗଣିବାରେ ଦୁଇଟି ମେସିନ ଖରାପ ହୋଇଥିଲା ଯାହା ଟେକନିସିଆନ ମାନେ ସଜାଡିଥିଲେ। ତେବେ ଏତେ ଟଙ୍କା ଏକା ଥରକେ ଦେଖି ଟଙ୍କା ଗଣିବାରେ ନିୟୋଜିତ ଥିବା ବ୍ୟାଙ୍କ କର୍ମଚାରୀ ଆବାକ ହୋଇଯାଇଛନ୍ତି।
ଟଙ୍କା ଗଣା ସରିବା ପରେ ସୁନାରୁପା ଅଳଙ୍କାର ବି ଅଛି। ସେସବୁ ଓଜନ ହେବ। ତେବେ ଏତେ ଟଙ୍କା ଆସିଲା କେଉଠୁ ?
ଅନ୍ୟପଟେ ଟଙ୍କାର ଏଭଳି ଦୃଶ୍ୟ ଦେଖି ଦେଖି ସେହି ଟଙ୍କା ଆଉ ଟଙ୍କା ଭଳି ଲାଗୁନି । ଯୁଆଡ଼େ ଚାହିଁବେ ସେଆଡ଼େ ଗଦା ଗଦା ନୋଟ୍, ଯାହାକୁ କ୍ରମାଗତ ଗଣିବା ପରେ ଓ ଦେଖିଲା ପରେ ଆଉ ଟଙ୍କା ନୁହେଁ, ବରଂ କାଗଜ ଭଳି ଫିଲ୍ ହେଉଛି । ଏଭଳି କହିଛନ୍ତି ବ୍ୟାଙ୍କ କର୍ମଚାରୀ ।












Click it and Unblock the Notifications