କେତେ ଘାତକ ଡେଲ୍ଟା ପ୍ଲସ ଭାଇରସ ? ଜାଣନ୍ତୁ କିପରି ଅଛନ୍ତି ଓଡ଼ିଶାର ପ୍ରଥମ ଆକ୍ରାନ୍ତ
ସାରା ଦେଶରେ ଡେଲ୍ଟା ପ୍ଲସ ଭାଇରସନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଓଡ଼ିଶାରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି
ଭୁବନେଶ୍ୱର : ସାରା ଦେଶରେ ଡେଲ୍ଟା ପ୍ଲସ ଭାଇରସକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଓଡ଼ିଶାରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଦେବଗଡ଼ ଜିଲ୍ଲାର ଜଣେ 65 ବର୍ଷୀୟ ବ୍ୟକ୍ତି ଏହି ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଖବର ଆସିବା ପରେ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି । ଏହାକୁ ନେଇ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଡେଲ୍ଟା ପ୍ଲସ ଭାରିଆଣ୍ଟ୍ ନେଇ ସତର୍କତା ଅବଲମ୍ବନ କରିବାକୁ ବୋଲି ସେ କହିଛନ୍ତି ।

ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ମାର୍ଚ୍ଚ 30ରେ ଟୀକା ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଏପ୍ରିଲରେ ସାମ୍ପଲ ଦେଇଥିବା ବେଳେ ଲକ୍ଷଣହୀନ ପଜିଟିଭ ଚିହ୍ନଟ ହୋଇଥିଲେ । ମେ ମାସରେ ତାଙ୍କ ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନସିଙ୍ଗ ପାଇଁ ପଠାଯାଇଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ଅପରପକ୍ଷରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଅନୁସାରେ ଆଇଏଲଏସରେ ଜାନୁଆରୀରୁ ଜିନୋମ୍ ସିକ୍ୟୁଏନିସିଂ କରାଯାଇଥିଲା । ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରୁ 3ହଜାର 800 ସାମ୍ପୁଲ ଜିନୋମ ସିକ୍ୟୁଏନିସିଂ ପାଇଁ ସଂଗ୍ରହ କରାଯାଇଥିଲା । ସେଥିରୁ ଓଡ଼ିଶାରୁ 11ଶହ ନମୁନା ପରୀକ୍ଷା ହୋଇଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡେଲଟା ପ୍ଲସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଡେଲଟା ପ୍ଲସ ଚିହ୍ନଟ ବ୍ୟକ୍ତି ସୁସ୍ଥ ହୋଇସାରିଥିବାରୁ ବର୍ତ୍ତମାନ କୌଣସି କଣ୍ଟାକ୍ଟ ଟ୍ରେସିଂର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।












Click it and Unblock the Notifications