ସ୍ୱେଚ୍ଛାକୃତ ଅବସର ନେଲେ ଆଇପିଏସ ବି.ରାଧିକା, ଅବସର ଅନୁମତି ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: ୧୯୮୯ ବ୍ୟାଚର ଆଇପିଏସ ବି.ରାଧିକାଙ୍କୁ ଅବସର ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଆଇପିଏସ ଅଫିସର ବି.ରାଧିକାଙ୍କୁ ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏବେ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ବି.ରାଧିକା । ଏହାସହିତ ଏସଏଫଏସଏଲର ନିର୍ଦେଶକ ଦାୟିତ୍ୱରେ ମଧ୍ୟ ରହିଛନ୍ତି ବି. ରାଧିକା ।
ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ରାଧିକା । ରାଧିକା କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗତ ନଭେମ୍ବର ୨୮ତାରିଖରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ । ରାଧିକା ଚଳିତବର୍ଷ ଜୁଲାଇ ମାସରେ ୬୦ବର୍ଷ ବୟସ ପୂରଣ କରୁଥିବାରୁ ଉକ୍ତ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ । ୧୯୮୯ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇପିଏସ୍ ବି.ରାଧିକା ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ୨୦୨୩ ଡିସେମ୍ବର ୩୧ ଓ ଚଳିତବର୍ଷ ଜାନୁୟାରୀ ୧୧ ତାରିଖରେ ଦୁଇଥର ଆବେଦନ କରିଛନ୍ତି ।

ସର୍ବଭାରତୀୟ ସେବା ରୁଲସ-୧୯୫୮ର ରୁଲ-୧୬(୨)ର ପ୍ରାବଧାନ ଆଧାରରେ ସେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ତେବେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଜଣେ ସର୍ବଭାରତୀୟ ଅଫିସରଙ୍କୁ ନିଜ ଚାକିରି କାଳର ୩୦ବର୍ଷ ପୂରଣ ଅବା ସେ ୫୦ବର୍ଷ ବୟସରେ ଉପନୀତ ହେବାର ଆବଶ୍ୟକତା ରହିଛି ଓ ରାଜ୍ୟ ସରକାରଙ୍କୁ ଅତିକମରେ ୩ମାସ ପୂର୍ବରୁ ଲିଖିତ ଭାବେ ଆବେଦନ ଦେବାର ଆବଶ୍ୟକତା ରହିଛି ।
ତେବେ ରାଜ୍ୟ ସରକାରଙ୍କ ପାଖରେ ଏହି ୩ମାସ ଅବଧିକୁ କୋହଳ କରିବାର କ୍ଷମତା ଥିବାରୁ ସରକାର ରାଧିକାଙ୍କ କ୍ଷେତ୍ରରେ ଏହି ଆବେଦନ ନିମନ୍ତେ 'ସର୍ବନିମ୍ନ ୩ମାସ ପୂର୍ବରୁ' ପ୍ରାବଧାନକୁ କୋହଳ କରିଛନ୍ତି । ଆଉ ତାଙ୍କୁ ଆସନ୍ତାକାଲି ଅର୍ଥାତ ଫେବୃୟାରୀ ୧ ଅପରାହ୍ନରୁ ସରକାରୀ ଚାକିରିରୁ ଅବସର ନେବା ପାଇଁ ଅନୁମତି ଦେଇଛନ୍ତି ।












Click it and Unblock the Notifications