ଶେଷ ହେଲା ଶିଳ୍ପ ମହାକୁମ୍ଭ: ଆସିଲା ୧୦ ଲକ୍ଷ ୪୮ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ
ମେକ ଇନ ଓଡ଼ିଶାର ୩ୟ ସଂସ୍କରଣ ଆଜି ଶେଷ ହୋଇଛି । ଗତ ଚାରି ଦିନ ଧରି ଚାଲିଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ରୁ ମୋଟ୍ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ଆସିଛି ।
ଭୁବନେଶ୍ୱର: ମେକ ଇନ ଓଡ଼ିଶାର ୩ୟ ସଂସ୍କରଣ ଆଜି ଶେଷ ହୋଇଛି । ଗତ ଚାରି ଦିନ ଧରି ଚାଲିଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ରୁ ମୋଟ୍ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ଆସିଛି । ଆଜି ଉଦଯାପନୀ ସନ୍ଧ୍ୟାରେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଉଦଯାପନୀ ସନ୍ଧ୍ୟାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୦ ଲକ୍ଷ ୩୭ ହଜାର ୭୦୧ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି ହେବା ନେଇ ଆଶା କରାଯାଉଛି । ୭୪୧ଟି ପ୍ରସ୍ତାବ ଆସିଛି । ନିବେଶକଙ୍କ ଲାଗି ଆମେ ଆବଶ୍ୟକସ୍ଥଳେ ଅଧିକ କାର୍ଯ୍ୟ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏଥି ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ମେକ୍ ଇନ୍ ଓଡ଼ିଶା ର ୩ୟ ସଂସ୍କରଣ ଆଶାଠୁ ଅଧିକ ସଫଳ ହୋଇଛି। ଓଡ଼ିଶାରେ ନିବେଶ କରିବାକୁ ପୁଞ୍ଜିପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟକୁ ୧୦ ଲକ୍ଷ ୪୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଗ୍ରହ ପ୍ରସ୍ତାବ ଆସିଛି। ଏହାକୁ ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ହେବ । ବହୁ ପରିଶ୍ରମ କରି ଏ ନିବେଶ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବାକୁ ସମସ୍ତେ ସହଯୋଗ କରନ୍ତୁ । ମେକ ଇନ ଓଡ଼ିଶା କନକ୍ଳେଭର ଉଦଯାପନୀ ଉତ୍ସବରେ ଏମିତି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ସଂସ୍କରଣରେ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନେ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଆଗ୍ରହ ଦେଖାଇଛନ୍ତି । ନିବେଶକମାନଙ୍କୁ ମୁଁ ପ୍ରତିଶ୍ରୁତି ଦେଉଛି, ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ । ନୂଆ ଓଡ଼ିଶା ଗଠନରେ ସେମାନେ ଭାଗିଦାର ସାଜିବେ । ଫିକିର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ କଣ୍ଟ୍ରି ପାର୍ଟନର ଜାପାନ, ନରଓ୍ବେ ଓ ଜର୍ମାନୀକୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ଏହାଦ୍ବାରା ଶିଳ୍ପ, ବାଣିଜ୍ୟ ନେଇ ଆଗକୁ ସଂପର୍କ ଅଧିକ ସୁଦୃଢ଼ ହେବ । ଏ ଅବସରରରେ ମେକ ଇନ ଓଡ଼ିଶା କନକ୍ଳେଭକୁ ସଫଳ କରାଇବାରେ ସମସ୍ତଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।












Click it and Unblock the Notifications