ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ: ନିରନ୍ତର ପୁଷ୍ଟିଶସ୍ୟ ଉତ୍ପାଦନ ଉପରେ ଗୁରୁତ୍ଵ, ଜୀବିକାର୍ଜନ ଉପରେ ପ୍ରାଧାନ୍ୟ
ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଜନତା ମୈଦାନରେ ଆଜି ଓ କଲି ଦୁଇ ଦିନ ଧରି ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ।
ମିଲେଟକୁ ସାରା ବିଶ୍ୱ ତଥା ଦେଶରେ ଲୋକପ୍ରିୟ କରିବା ପାଇଁ ପ୍ରୟାସ କରୁଛି ମିଲେଟ୍ ମିଶନ । ମିଲେଟ୍ ମିଶନକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଦୁଇ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ ଆୟୋଜନ କରୁଛି ।
ଆଜି ଅନୁଷ୍ଠିତ 'ବୈଜ୍ଞାନିକ ପଦ୍ଧତିରେ ପୁଷ୍ଟିଶସ୍ୟ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି' ଶୀର୍ଷକ ଆଲୋଚନା ଚକ୍ରରେ ନିରନ୍ତର ପୁଷ୍ଟିଶସ୍ୟ ଉତ୍ପାଦନ ଉପରେ ଗୁରୁତ୍ଵ ଦିଆଯାଇଛି । ବୈଷୟିକ ଅଧ୍ଵବେଶନର ଅଂଶସ୍ୱରୂପ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବୁଦ୍ଧିଜୀବୀ, ବିଷୟ ପ୍ରବକ୍ତା, ଗବେଷକ ଓ ସ୍ଥାନୀୟ ପ୍ରଭାବୀ ନେତୃବୃନ୍ଦ ନିରନ୍ତର ଉତ୍ପାଦନ ବୃଦ୍ଧି ଉପରେ ବକ୍ତବ୍ୟ ରଖିଛନ୍ତି ।

ଭାରତୀୟ ପୁଷ୍ଟିଶସ୍ୟ ଗବେଷଣା ପ୍ରତିଷ୍ଠାନର ପ୍ରମୁଖ ବୈଜ୍ଞାନିକ ଡ. ବି. ଭେଙ୍କଟେଶ ଭଟ୍ଟ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଗବେଷଣା ବିଭାଗ ଡିନ୍ ଡ. ସଂଗ୍ରାମ କେଶରୀ ସ୍ଵାଇଁଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମିଲେଟ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଇଥିବାବେଳେ ପୋଷଣ ଓ ଜୀବିକାର୍ଜନ ଉପରେ ଅନୁରୂପ ଭାବରେ ପ୍ରାଧାନ୍ୟ ଦିଆଯାଇଥିଲା । ଆଲୋଚକ ଭାବରେ ମଧୂସ୍ମିତା ଶତପଥୀ, ଡ. ରାଜେନ୍ଦ୍ର ଆର୍. ଚାପ୍, ହାଇଦ୍ରାବାଦସ୍ଥିତ ହାର୍ଭେଷ୍ଟ ପ୍ଲସ୍ ସଂଗଠନର ବିଜୁ ଚେରିଆନ୍ଙ୍କ ସମେତ ଦମୟନ୍ତୀ ରଣା ଓ ଅଜିତ କୁମାର ସାହୁ ନିଜ ନିଜର ବ୍ୟକ୍ତିଗତ ଅଭିଜ୍ଞତା ଓ ଦୃଷ୍ଟିକୋଣ ବର୍ଣ୍ଣନା କରିଥିଲେ । ରାଜ୍ୟରେ ମିଲେଟ ଚାଷର ପୃଷ୍ଠଭୂମି ସାଙ୍ଗକୁ ସେମାନେ ବିଭିନ୍ନ ଆହ୍ଵାନ ଓ ସୁଯୋଗଗୁଡ଼ିକଉପରେ ମତ ରଖିଥିଲେ ।
ଦୂରଦୃଷ୍ଟିସଂପନ୍ନ ଆଭିମୁଖ୍ୟ, ଅତ୍ୟାଧୁନିକ ଜ୍ଞାନକୌଶଳ ବଳରେ ରାଜ୍ୟରେ ପୁଷ୍ଟିଶସ୍ୟ ଉତ୍ପାଦନ ବୃଦ୍ଧି ହୋଇପାରିବ । ପୁଷ୍ଟି ନିରାପତ୍ତା ସାଙ୍ଗକୁ ପୋଷଣୀୟ ଜୀବିକାର୍ଜନ ନିମନ୍ତେ କମ୍ ବ୍ୟୟରେ ପୁଷ୍ଟିଶସ୍ୟ ଉତ୍ପାଦନ ନିମନ୍ତେ ବିଭିନ୍ନ ସ୍ତରରେ ଉଦ୍ୟମ ହେବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ଅଂଶଗ୍ରହଣକାରୀ କୃଷକ ଓ ଗୋଷ୍ଠୀ ନେତୃବୃନ୍ଦ କ୍ଷେତ୍ରୀୟ ସ୍ତରରେ ସାମ୍ନା କରିଥିବା ପ୍ରତିବନ୍ଧକଗୁଡ଼ିକ ନେଇ କହିବା ସହିତ ସେଗୁଡ଼ିକର ନିରାକରଣ ପାଇଁ ବିଭିନ୍ନ ପ୍ରୟାସ ବାବଦରେ ଅଭିଜ୍ଞତା ପ୍ରକାଶ କରିଥିଲେ ।
ଜୈବ-ପୁଷ୍ଟିବର୍ଦ୍ଧକ ମିଲେଟ ଉତ୍ପାଦନ ନିମନ୍ତେ ନିରନ୍ତର କୃଷି ଅଭ୍ୟାସର ବିକାଶ ସାଙ୍ଗକୁ ଆଧୁନିକ ଜ୍ଞାନକୌଶଳର ସମନ୍ଵୟ ଉପରେ ଆଲୋଚକମାନେ ଗୁରୁତ୍ଵ ଦେଇଥିଲେ । ପୁଷ୍ଟିଶସ୍ୟ ଚାଷ, ଉତ୍ପାଦନ ଓ ବ୍ୟବହାର ଉପରେ ସେମାନେ ନିଜ ନିଜର କ୍ଷେତ୍ରଭିଭିକ ଅନୁଭୂତି ବାଣ୍ଟିଥିଲେ । ପୁଷ୍ଟିଶସ୍ୟ ଚାଷରେ ଅଧିକ ସମ୍ଭାବନା ଓ ଭବିଷ୍ୟତ ରହିଥିବା କଥା ବକ୍ତାମାନେ ଉଲ୍ଲେଖ କରିଥିଲେ ।












Click it and Unblock the Notifications