ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ, ଘରୋଇ ଦଳର ଭଲ ଆରମ୍ଭ
ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୪୦ ରନର ବିଜୟ ଲକ୍ଷ୍ୟ ଦେଇଛି ଟିମ୍ ଇଣ୍ଡିଆ । ୨୪୦ ରନର ଜବାବରେ ଭଲ ଆରମ୍ଭ କରିଛି ଘରୋଇ ଦଳ । ପ୍ରଥମ ୱିକେଟ୍ ପାଇଁ 47 ରନ ଯୋଡିଛନ୍ତି ଆଫ୍ରିକା ଦଳର ଦୁଇ ଓପନର ।
ଜୋହାନ୍ସବର୍ଗ: ଜୋହାନ୍ସବର୍ଗରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଜାରି ରହିଛି । ଏହି ମ୍ୟାଚରେ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ଆଗରେ ଭାରତ ୨୪୦ ରନର ବିଜୟ ଲକ୍ଷ୍ୟ ରଖିଛି। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୨୬୬ ରନ କରିଥିଲା । ଯାହା ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୪୦ ରନର ବିଜୟ ଲକ୍ଷ୍ୟ ଦେଇଛି ଟିମ୍ ଇଣ୍ଡିଆ । ୨୪୦ ରନର ଜବାବରେ ଭଲ ଆରମ୍ଭ କରିଛି ଘରୋଇ ଦଳ । ପ୍ରଥମ ୱିକେଟ୍ ପାଇଁ 47 ରନ ଯୋଡିଛନ୍ତି ଆଫ୍ରିକା ଦଳର ଦୁଇ ଓପନର ।

ଭାରତ ପକ୍ଷରୁ ରାହାଣେ ସର୍ବାଧିକ ୫୮ ଓ ପୂଜାରା ୫୩ ରନ୍ କରିଛନ୍ତି। ଶେଷ ଆଡ଼କୁ ହନୁମା ବିହାରୀ ୪୦ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି, କାଗିସୋ ରବାଡା ଓ ମାର୍କୋ ଜାନସେନ୍ ୩ଟି ଲେଖାଏଁ ୱିକେଟ୍ ହାସଲ କରିଥିବାବେଳେ ଓଲିଭର ଗୋଟିଏ ଓ୍ୱିକେଟ ଅକ୍ତିଆର କରିଥିଲେ ।
ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତୃତୀୟ ଦିବସରେ ଭାରତ ୮୫/୨ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ପୂଜାରା ଓ ରାହାଣେ ଆଜି ମଧ୍ୟ ସେହି ଅନ୍ଦାଜରେ ବ୍ୟାଟିଂ କରିଥିଲେ। ବିଶେଷକରି ଆଜି ରାହାଣେ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ପ୍ରଥମେ ପୂଜାରା ୬୨ ବଲରେ ଏବଂ ପରେ ରାହାଣେ ୬୭ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୧୧ ରନର ଶତକୀୟ ଭାଗିଦାରୀ କରିଥିଲେ, ଯାହା ବଳରେ ଭାରତର ସ୍କୋର ୧୫୦ ରନ୍ ଅତିକ୍ରମ କରିଥିଲେ। ତେବେ ଉଭୟ ରାହାଣେ ଓ ପୂଜାରାଙ୍କୁ ରବାଡା ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ଡବଲ୍ ସଫଳତା ଦେଇଥିଲେ।
ୱିକେଟ୍ କିପର ଋଷଭ ପନ୍ତ ଖାତା ଖୋଲିପାରିନଥିଲେ। ତେବେ ହନୁମା ବିହାରୀ, ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଶାର୍ଦ୍ଦୁଲ ଠାକୁରଙ୍କ ଯୋଗଦାନ ବଳରେ ଭାରତ ୨୬୬ ରନରେ ପହଞ୍ଚିପାରିଥିଲା। ବିହାରୀ ୪୦ ରନ୍ କରି ଅପରାଜିତ ଥିଲେ। ଶାର୍ଦ୍ଦୁଲ ୨୪ ବଲରେ ୫ ଚୌକା ଓ ୧ ଛକା ସହ ୨୮, ଅଶ୍ୱିନ୍ ୧୪ ବଲରେ ୧୬ ରନ୍ କରିଥିଲେ। ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଖାତା ଖୋଲିପାରିନଥିବା ବେଳେ ଯଶପ୍ରୀତ ବୁମରା ୭ ରନ୍ କରି ଆଉଟ୍ ହୋଇଥିଲେ।












Click it and Unblock the Notifications