ECG ନାଁରେ ଦୁଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ, ଥାନାରେ ମାମଲା ରୁଜୁ
ECG ନାଁରେ ମେଡ଼ିକାଲ୍ରେ ଦୁଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଆଉ ଏହି ସଙ୍ଗୀନ ଅଭିଯୋଗ ଆସିଛି କଟକ ଏସ୍ସିବି ମେଡିକାଲ୍ର ହୃଦୟ ରୋଗ ବିଭାଗର ଜଣେ ହୃଦୟରୋଗ ବିଶେଷଜ୍ଞ ଡାକ୍ତରଙ୍କ ବିରୋଧରେ। ଏନେଇ ପୀଡ଼ିତାଙ୍କ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ କମିଶନରେଟ୍ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଗତ ଶୁକ୍ରବାର ୨ ରୋଗୀ(ମହିଳା) କଟକ ଏସ୍ସିବିର ହୃଦୟ ରୋଗ ବିଭାଗକୁ ଆସିଥିଲେ। ବିଶେଷଜ୍ଞ ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଇସିଜି କରିବା ପାଇଁ ସମ୍ପୃକ୍ତ ଡାକ୍ତର ପରାମର୍ଶ ଦେଇଥିଲେ। ସେହିଦିନ ଇସିଜି ହୋଇନପାରିବାରୁ ୨ ମହିଳା ଫେରି ଯାଇଥିଲେ। ଇସିଜି କରିବା ପାଇଁ ରବିବାର ଆସିଥିଲେ। ଇସିଜି ବାହାନାରେ ଡାକ୍ତର ୨ ମହିଳା ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ପୀଡ଼ିତଙ୍କ ଦୁଇ ସମ୍ପର୍କୀୟ (ଯେଉଁମାନେ ଏସ୍ସିବି ମେଡିକାଲ୍ରେ ଅଣ୍ଡରଗ୍ରାଜୁଏଟ୍ ଡାକ୍ତରୀ ପାଠ ପଢ଼ୁଛନ୍ତି) ଏ ସମ୍ପର୍କରେ ଜାଣିପାରି ସମ୍ପୃକ୍ତ ଡାକ୍ତରଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଯାହାଫଳରେ ସମ୍ପୃକ୍ତ ଡାକ୍ତର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସେହି ମେଡ଼ିକାଲ୍ର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।
ଦୁଇ ପୀଡ଼ିତଙ୍କ ସମ୍ପର୍କୀୟମାନେ ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମହିଳା ପୁଲିସ ଦୁଇ ପୀଡ଼ିତାଙ୍କୁ ପଚରାଉଚରା କରୁଛି। ୧୬୧ରେ ବୟାନ୍ ରେକର୍ଡ କରାଯାଉଛି ବୋଲି ଜଣାପଡ଼ିଛି।
କଟକ ଏସିପିଙ୍କ କହିବା ଅନୁସାରେ ଏସ୍ସିବିର ଜଣେ ଡାକ୍ତରଙ୍କ ନାଁରେ ଅସଦାଚରଣ ନେଇ ଅଭିଯୋଗ ହୋଇଛି। ଦୁଇ ଜଣ ମହିଳାଙ୍କୁ ଅସଦା ଚରଣ କରାଯାଇଥିବା ଅଭିଯୋଗ ହୋଇଛି। ସେ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ସମୟରେ ଯାହା ତଥ୍ୟ ମିଳିବ, ତାକୁ ଆଧାର କରି ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି କହିଛନ୍ତି।












Click it and Unblock the Notifications