ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାର ହେବ ଉନ୍ନତିକରଣ, କଟକ ଓ ଜଟଣୀ ମଧ୍ୟରେ ହେବ ସିଧାସଳଖ ଯୋଗାଯୋଗ
ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାର ହେବ ଉନ୍ନତିକରଣ । ୪୫ ମିଟର ଚଉଡାରେ ୬ ଲେନ୍ ବିଶିଷ୍ଟ ରାସ୍ତା, କଟକ ଓ ଜଟଣୀ ମଧ୍ୟରେ ହେବ ସିଧାସଳଖ ଯୋଗାଯୋଗ ।

ଭୁବନେଶ୍ୱର:ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରକ୍ରିୟା ଖୁବ୍ ଶିଘ୍ର ଆରମ୍ଭ କରାଯିବ । ଏହା ଦ୍ୱାରା କଟକର ବାରଙ୍ଗ ଏବଂ ଜଟଣୀର ରେତଙ୍ଗ ମଧ୍ୟରେ ସିଧାସଳଖ ସଡ଼କ ସଂଯୋଗ ହୋଇପାରିବ । ଏଥିସହ କଟକ ପୁରୀ ରୋଡ ଠାରୁ ରବି ଟକିଜ ଏବଂ ଜୟଦେବ ବିହାର ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଟ୍ରାଫିକ୍ ଭିଡ ନିୟନ୍ତ୍ରଣ କରାଯାଇପାରିବ । ଏ ସଂପର୍କରେ ଏକ ବୈଠକ ମୁଖ୍ୟ ଶାସନସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।
ଉକ୍ତ ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଏହି ସଡ଼କ ଉନ୍ନତିକରଣ ସଂପର୍କରେ ସୂଚନା ଦେଇଥିଲେ । ଏହି କେନାଲ ସଂଲଗ୍ନ ୪ଟି ଷ୍ଟ୍ରେଚରେ ୬ ଲେନ ବିଶିଷ୍ଟ ପ୍ରାୟ ୩୮ କିଲୋମିଟର ଦୈର୍ଘ୍ୟ ରାସ୍ତା ନିର୍ମାଣ କରାଯିବ । ଏଥି ନିମନ୍ତେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରାଯିବ । ପ୍ରଥମ ଷ୍ଟ୍ରେଚରେ ୧୩.୭୪ କି.ମି, ଦ୍ୱିତୀୟ ଷ୍ଟ୍ରେଚରେ ୭.୨୯କି.ମି, ତୃତୀୟରେ ୩.୧୬ ଏବଂ ଚତୁର୍ଥ ଷ୍ଟ୍ରେଚରେ ୧୩.୮୪ କି.ମି ରାସ୍ତା ଉନ୍ନତିକରଣ ନେଇ ଶ୍ରୀ ଯାଦବ ବୈଠକରେ ସୂଚନା ଦେଇଥିଲେ ।
ଏହି ଉନ୍ନତିକରଣ ପ୍ରକ୍ରିୟା ଜଳ ସଂପଦ ବିଭାଗ ସହ ସମନ୍ୱୟ ରକ୍ଷା କରି ତ୍ୱରାନ୍ୱିତ କରାଯିବା ସହ ଆବଶ୍ୟକୀୟ ଥଇଥାନ କରାଯିବା ନେଇ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ସଡ଼କ ସଂଯୋଗ ଦ୍ୱାରା ବିଭିନ୍ନ ସ୍ଥାନ ମାନଙ୍କ ମଧ୍ୟରେ ଦୂରତ୍ୱ ହ୍ରାସ ପାଇବ । ଏହାଦ୍ୱାରା କୂଆଖାଇ ଓ ଦୟାନଦୀ ମଧ୍ୟରେ ଥିବା ଅଂଚଳରେ ଉନ୍ନତିକରଣ ନେଇ ନୂଆ ସମ୍ଭାବନା ସୃଷ୍ଟି ହେବାସହ ବମିଖାଲ, ଜି.ଜି.ପି କଲୋନୀ, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, କପିଳେଶ୍ୱର, ସୁନ୍ଦରପଦା ଏବଂ ପଟିଆ ଓ ମଞ୍ଚେଶ୍ୱର ରେଳ ଷ୍ଟେସନ ଆଦି ଅଂଚଳକୁ ନିରବଚ୍ଛିନ ଯୋଗାଯୋଗ ସମ୍ଭବ ହୋଇପାରିବ । ଏପରିକି ସହରରେ ମଶା ଓ ମାଛି ପ୍ରାଦୃର୍ଭାବ ହ୍ରାସ ପାଇପାରିବ ।
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ବି.ଡ଼ି.ଏ ଉପାଧ୍ୟକ୍ଷ ଶ୍ରୀ ବଲଓ୍ୱନ୍ତ ସିଂ, ପୁର୍ତ୍ତ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ହେମନ୍ତ କୁମାର ଦତ୍ତ, ଜଳ ସଂପଦ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଭକ୍ତ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications