ରାଜ୍ୟ ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି; ଏଚ୍ଆରଏମ୍ଏସ୍ ପୋର୍ଟାଲରେ ଅପଡେସ ଅଗଷ୍ଟ ୧୬ ପର୍ଯ୍ୟନ୍ତ ବୃଦ୍ଧି
ଓଡ଼ିଶା ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କ ସମ୍ପର୍କରେ ସବିଶେଷ ସଂକ୍ଷିପ୍ତ ତଥ୍ୟ (ପ୍ରୋଫାଇଲ୍ ଡାଟା) ଏବଂ ଇ-ସର୍ଭିସ୍ ବୁକ୍ ତଥ୍ୟ ଏଚ୍ଆରଏମ୍ଏସ୍ ପୋର୍ଟାଲରେ ଅପଡେସ କାର୍ଯ୍ୟ ଆଗାମୀ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
କର୍ମଚାରୀମାନେ ସେମାନଙ୍କର ତଥ୍ୟ ଏଚ୍ଆରଏମ୍ଏସ୍ ପୋର୍ଟାଲରେ ଆବେଦନ କରି ନିଜ ନିଜର ସଂସ୍ଥାର ପ୍ରତିଷ୍ଠାନ ଅଧିକାରୀ(ଏଷ୍ଟାବ୍ଲିସ୍ମେଣ୍ଟ ଅଫିସର)/ ଅର୍ଥ ଉଠାଣ ଓ ବିତରଣ ଅଧିକାରୀ (ଡିଡିଓ) କିମ୍ବା ପ୍ରାଧୀକୃତ ଅଧିକାରୀଙ୍କ ଜରିଆରେ ଏହାକୁ ବୈଧ କରିବାକୁ ସମସ୍ତ ବିଭାଗକୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଥିଲା।

ଏ ସଂପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଅବଗତ କରାଯାଇଛି ଯେ, ଅନଲାଇନ୍ ପ୍ରକ୍ରିୟାକରଣ ପାଇଁ ପେନସନ କାଗଜପତ୍ରର ଅଟୋ ଜେନେରେସନ ଉଦ୍ଦେଶ୍ୟରେ ଏହି ଅପଡେଟ୍ କାର୍ଯ୍ୟ ଜାରି ରହିଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟାରେ ସରକାରୀ ଅଧିକାରୀ ଏବଂ କର୍ମଚାରୀମାନେ ନିୟୋଜିତ ହେବାର ସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଏହି ଅପଡେଟ୍ ପ୍ରକ୍ରିୟାର ସମ୍ପୂର୍ଣ୍ଣତା ହାସଲ କରିବା ଲକ୍ଷ୍ୟରେ ଏଚଆରଏମଏସ ଆବେଦନରେ ପ୍ରୋଫାଇଲ୍ ଏବଂ ଇ-ସର୍ଭିସ୍ ବୁକ୍ ମୋଡ୍ୟୁଲର ଏହି ଅଦ୍ୟତନ କାର୍ଯ୍ୟ ଅଭିଯାନକୁ ଆଉ ୪ ମାସ ପାଇଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏହି ମର୍ମରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ରାଜ୍ୟର ସମସ୍ତ ବିଭାଗୀୟ ସଚିବ, ସବୁ ବିଭାଗୀୟ ମୁଖ୍ୟ ତଥା ରାଜ୍ୟର ସମସ୍ତ କମିଶନଙ୍କୁ ବିଭାଗୀୟ ପତ୍ର ସଂଖ୍ୟା ତା ୧୨୪୩୦ ତା-୨୩.୦୪.୨୦୨୪ ରେ ପୁନଃ ଅବଗତ କରାଯାଇ ଏଚଆରଏମଏସ ଆପ୍ଲିକେସନରେ କର୍ମଚାରୀମାନଙ୍କର ପ୍ରୋଫାଇଲ୍ ସୂଚନା ଅଦ୍ୟତନ କରିବା ସହ ଏବଂ ପରିବର୍ଦ୍ଧିତ ତାରିଖ ଅର୍ଥାତ୍ ଆଗାମୀ ଅଗଷ୍ଟ ୧୬ ତାରିଖ ସୁଦ୍ଧା ତଥ୍ୟର ବୈଧତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିଜ କାର୍ଯ୍ୟାଳୟ ଅଧିନସ୍ଥ ସମ୍ପୃକ୍ତ କର୍ମଚାରୀ ତଥା କର୍ତ୍ତୃପକ୍ଷମାନଙ୍କୁ ସଚେତନ କରିବାକୁ ଅନୁରୋଧ କରାଯାଇଛି।












Click it and Unblock the Notifications