ଆଇଏଏସ ସ୍ତରରେ ଅଦଳବଦଳ; କ୍ରୀଡ଼ା ବିଭାଗରୁ ହଟିଲେ ଭିନିଲକ୍ରିଷ୍ଣା; ନିକୁଞ୍ଜ ବିହାରୀ ଇଡକୋର ଚେୟାରମ୍ୟାନ୍
ରାଜ୍ୟର ବିଜେପି ସରକାରରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଇଡକୋର ଚେୟାରମ୍ୟାନ୍ ଥିବା ହେମନ୍ତ ଶର୍ମାଙ୍କୁ ଏହି ପଦରୁ ହଟାଯାଇଛି । ତାଙ୍କ ସ୍ଥାନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋର ଚେୟାରମ୍ୟାନ୍ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ବୁଧବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ଆଇଏଏସ୍ ଅଫିସର ଜି.ମାଥିଭାଥାନନ୍, ବିଶାଳ ଦେବ ଓ ଆର୍.ଭିନିଲକ୍ରିଷ୍ଣାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ସୁରେନ୍ଦ୍ର କୁମାର, ହେମନ୍ତ ଶର୍ମା ଓ ଉଷା ପାଢ଼ୀ ନିଜର ସ୍ଥିତି ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ୧୯୯୩ ବ୍ୟାଚ୍ ଆଇଏଏସ୍ ଅଫିସର ନିକୁଞ୍ଜ ବିହାରୀ ଧଳଙ୍କୁ ଇଡ୍କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶିଳ୍ପ ସଚିବ ହେମନ୍ତ ଶର୍ମା ଏବେ ଇଡ୍କୋ ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି । ୧୯୯୩ ବ୍ୟାଚ୍ ଆଇଏଏସ୍ ଅଫିସର ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି ।

ସୁରେନ୍ଦ୍ର କୁମାର ଏବେ ସାଧାରଣ ପ୍ରଶାସନ ବିଭାଗ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ସେ ୨୦୨୧ ଜୁଲାଇରୁ ଏହି ଦୁଇଟି ବିଭାଗ ଦାୟିତ୍ୱରେ ଅଛନ୍ତି।
୧୯୯୪ ବ୍ୟାଚ୍ ଆଇଏଏସ୍ ଅଫିସର ଜି.ମାଥିଭାଥାନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ବଦଳି କରାଯାଇଛ । ମାଥିଭାଥାନନ୍ ପ୍ରାୟ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେ ସଂସଦୀୟ ବ୍ୟାପାର ବିଭାଗର ସଚିବ ମଧ୍ୟ ଥିଲେ। ଉନ୍ନୟନ କମିଶନର ଅନୁ ଗର୍ଗ ଏବେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରୁଛନ୍ତି।
୧୯୯୫ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏଥିସହିତ ସେ ଇପିକଲ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଶାଶ୍ୱତ ମିଶ୍ର ଏମ୍ଏସ୍ଏମ୍ଇର ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି।
୧୯୯୬ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏଥିସହିତ ସେ ମଧ୍ୟ ଓଡ଼ିଶା ସବ୍ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ବିଶାଳଦେବ ଶକ୍ତି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।
୧୯୯୬ ବ୍ୟାଚ୍ ଆଇଏଏସ୍ ଅଫିସର ବିଶାଳ କୁମାର ଦେବଙ୍କୁ ଅର୍ଥ ଓ ଶକ୍ତି ବିଭାଗରୁ ହଟାଇ ଦିଆଯାଇଛି। ତାଙ୍କୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିବେ।
୧୯୯୬ ବ୍ୟାଚ୍ ଆଇଏଏସ୍ ଅଫିସର ଉଷା ପାଢ଼ୀଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେ ପୂର୍ବଭଳି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ।
୧୯୯୯ ବ୍ୟାଚ୍ ଆଇଏଏସ୍ ଅଫିସର ଭାସ୍କରଜ୍ୟୋତି ଶର୍ମାଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେ ଏବେ ଜମି ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ୨୦୦୫ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ଆର୍. ଭିନିଲକ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗରୁ ହଟାଇ ଦେଇ ଓଡ଼ିଶା ଜମି ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ ବଦଳି କରାଯାଇଛି ।
ଉକ୍ତ ପଦବୀକୁ ରାଜ୍ୟ ସରକାର ଓଡ଼ିଶା ଆଇଏଏସ୍ କ୍ୟାଡରରେ ସଚିବ ପାହ୍ୟାର ସୁବିଧା ସୁଯୋଗ ଦେବାକୁ ଘୋଷଣା କରିଛନ୍ତି। ଭିନିଲ୍ ଏବେ କେବଳ ଓଡ଼ିଶା ଜମି ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ କାର୍ଯ୍ୟ କରିବେ।












Click it and Unblock the Notifications