Human Sugar passed away: ଆଉ ନାହାନ୍ତି ହ୍ୟୁମାନ ସାଗର; ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ, ସାରା ଓଡ଼ିଶା ସ୍ତବ୍ଧ
Human Sugar passed away: ଆଉ ନାହାନ୍ତି ବର୍ଷିୟାନ ଗାୟକ ହ୍ୟୁମାନ ସାଗର । ଏକାଧିକ ଗୁରୁତର ରୋଗରେ ପୀଡିତ ଥାଇ ଭୁବନେଶ୍ବରସ୍ଥିତ AIIMSରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ହ୍ୟୁମାନ ସାଗର । ମୃତ୍ୟୁବେଳକୁ ତାଙ୍କୁ ୩୪ ବର୍ଷ ହୋଇଥିଲା । ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ହ୍ୟୁମାନ ସାଗରଙ୍କୁ ବଞ୍ଚାଇବା ସମ୍ଭବପର ହୋଇନାହିଁ ।
ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି । ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି । ହ୍ୟୁମାନଙ୍କ ବିୟୋଗରେ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଛି । ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।
ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବର ଶୁଣି ମହାମହିମ ରାଜ୍ୟପାଳ ଡଃ ହରି ବାବୁ କମ୍ଭମପାଟି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଓଡିଆ ସଙ୍ଗୀତ ଓ ସିନେମା ଜଗତକୁ ତାଙ୍କ ଅବଦାନ ସଦା ସ୍ମରଣୀୟ ରହିବ ବୋଲି ମହାମହିମ ରାଜ୍ୟପାଳ କହିଛନ୍ତି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍ କରି ଲେଖିଛନ୍ତି, ହ୍ୟୁମାନଙ୍କ ଭାବପୂର୍ଣ୍ଣ ସଙ୍ଗୀତ ଅଗଣିତ ଶ୍ରୋତାଙ୍କ ହୃଦୟକୁ ଛୁଇଁଛି। ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। ବିଜେଡି ପାଇଁ 'ହେ ନବୀନ ବାବୁ..' ଗୀତ ଗାଇଥିଲେ ହ୍ୟୁମାନ ସାଗର ।

ହ୍ୟୁମାନଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ସୁମଧୁର ସ୍ବର ଦ୍ୱାରା ଆମ ହୃଦୟରେ ସ୍ଥାନ ନେଇଥିଲେ । ହ୍ୟୁମାନଙ୍କ ସୁନ୍ଦର କୃତିଗୁଡିକ ସଦା ଶ୍ରୋତାଙ୍କ ମନରେ ଅବିଚ୍ଛିନ୍ନ ରହିବ । ପରିବାରଙ୍କ ନିକଟରେ ସମବେଦନା ସହ ଅମର ଆତ୍ମାଙ୍କ ସଦଗତି କାମନା କରୁଛି ।
ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନେକ ଗୀତରେ କଣ୍ଠଦାନ କରି ବହୁତ କମ ସମୟ ମଧ୍ୟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ; ସଙ୍ଗୀତ ଜଗତର ଜଣେ ଉଜ୍ଜ୍ୱଳ ତାରକାକୁ ହରାଇଲା । ତାଙ୍କ ସ୍ୱରର ଯାଦୁ ସବୁଦିନ ପାଇଁ ଓଡ଼ିଆ ଶ୍ରୋତାଙ୍କ ମନରେ ଅମର ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
ହ୍ୟୁମାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ
କହିଛନ୍ତି, ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି।ଶୋକସନ୍ତପ୍ତ ପରିବାର ପ୍ରତି ଜଣାଇଲେ ସମବେଦନା। ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ।












Click it and Unblock the Notifications