ଟିଟିଲାଗଡ଼ରେ ପହଞ୍ଚିଲା ହ୍ୟୁମାନଙ୍କ ପାର୍ଥିବ ଶରୀର
ଜନ୍ମମାଟି ଟିଟଲାଗଡ ଡେଙ୍ଗ ଗାଁରେ ହ୍ୟୁମାନଙ୍କ ପାର୍ଥିବ ଶରୀର ପହଞ୍ଚିଛି। ବିରାଟ ଶୋଭାଯାତ୍ରାରେ ହ୍ୟୁମାନଙ୍କ ମରଶରୀରକୁ ନିଆଯାଉଛି। ତାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ଗ୍ରାମବାସୀମାନେ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। ସୂଚନା ମୁତାବକ ସୋମବାର ରାତିରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ମେଡିକାଲରୁ ହ୍ୟୁମାନଙ୍କ ପାର୍ଥିବ ଶରୀର କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପରେ ତାଙ୍କ ପାର୍ଥିବ ଶରୀରକୁ ଟିଟଲାଗଡସ୍ଥିତ ବାସଭବନକୁ ନିଆଯାଇଛି। ସେଠାରେ ପରିବାର ଓ ବନ୍ଧୁ ପରିଜନ ଶେଷ ଦର୍ଶନ କରିବା ପରେ ଶେଷ କୃତ୍ୟ ସମ୍ପନ୍ନ ହେବ ।

ଟିଟିଲାଗଡ଼ ପୌରାଞ୍ଚଳର ୱାର୍ଡ ନଂ ୧୨ ଦେ'ବନ୍ଧ ପଡ଼ା ନିବାସୀ ସ୍ବର୍ଗତ ଶିକ୍ଷକ ରବି ସାଗର ଏବଂ ଶିକ୍ଷୟିତ୍ରୀ ଶେଫାଳୀ ସୁନାଙ୍କ ବଡ଼ପୁଅ ହ୍ୟୁମାନ ସାଗର ୧୯୯୦ ମସିହା ନଭେମ୍ବର ୧୨ ତାରିଖରେ ଏଠାରେ ଜନ୍ମଗ୍ରହଣ କରିଥିଲେ। ହ୍ୟୁମାନଙ୍କ ମା' ଓ ବାପା ଉଭୟ ସଙ୍ଗୀତ ସଂଯୋଜକ ଥିଲେ। ତାଙ୍କ ପୂରା ପରିବାର ସଙ୍ଗୀତ ସାଧନା ପ୍ରତି ସମର୍ପିତ ଥିଲା। ହ୍ୟୁମାନଙ୍କ ସାନଭାଇ ନ୍ୟୁମାନ ସାଗରଙ୍କ ପୂର୍ବରୁ ୨୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଥିବା ବେଳେ କରୋନାରେ ପିତା ରବି ସାଗରଙ୍କ ପରଲୋକ ଘଟିଥିଲା। ଟିଟିଲାଗଡ଼ ସେଣ୍ଟ ଆନି ସ୍କୁଲରେ ହ୍ୟୁମାନ ପାଠ ପଢ଼ିଥିଲେ। ୨୦୧୭ରେ ସେ ଶ୍ରୀୟା ମିଶ୍ରଙ୍କୁ ବିବାହ କରିଥିଲେ। ହ୍ୟୁମାନଙ୍କ ବିୟୋଗରେ ଟିଟିଲାଗଡ଼ ସମେତ ସମଗ୍ର ପଶ୍ଚିମଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି।












Click it and Unblock the Notifications