ସୁନାବେଶ ପାଇଁ ପୁରୀରେ ପ୍ରବଳ ଭିଡ଼: ସତର୍କ କଲା ପୋଲିସ
ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିବାକୁ ପୁରୀରେ ପ୍ରବଳ ଭିଡ଼। ମହାପ୍ରଭୁଙ୍କୁ ପାଖରୁ ଆଖି ପୁରେଇ ଦେଖିବାକୁ ପୁରୀକୁ ଭକ୍ତଙ୍କ ପ୍ରବଳ ସମାଗମ ହେଉଛି ।
ପୁରୀକୁ ଅଧିକ ଭକ୍ତଙ୍କ ଆଗମନ ଯୋଗୁ ଭିଡ଼ ନେଇ ସତର୍କ କରାଇଛି ପୋଲିସ । ସହରରେ ଥିବା ପାର୍କିଂ ସ୍ଥାନଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି ।
ଉପଲବ୍ଧତା ଅନୁସାରେ ଏବେ ତାଳବଣିଆ ଓ ଷ୍ଟର୍ଲିଂରେ ପାର୍କିଂ କରାଯାଉଥିବା ସୂଚନା ଦେଇଛି ପୋଲିସ। ଏପରିକି ବାଟଗାଁ ଏବଂ ମାଳତୀପାଟପୁରରେ ଶ୍ରଦ୍ଧାଳୁଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ଏହାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ନିବେଦନ କରିଛି ପୋଲିସ। ପ୍ରବଳ ଭିଡକୁ ଲକ୍ଷ୍ୟରେ ରଖି ଗାଡି ପାସ୍ ଗୁଡିକ ରଦ୍ଦ କରାଯାଇଛି।
ଏପଟେ ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ରହିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ଆଜି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅପରାହ୍ଣରେ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ସଜିତ କରାଯିବ।

ମହଣ ମହଣ ସ୍ବର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାରରେ ଝଟକିବେ ମହାବାହୁ। ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ। ମହାପ୍ରଭୁଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡ଼ତଢାଉ ବେଶ ଅନ୍ୟତମ। ବର୍ଷକରେ ଥରେ ରଥ ଉପରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଥାଏ। ସୁନାବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ୍ ଦେଇ ରଥାରୁଢ଼ ଶ୍ରୀଜିଙ୍କର ସୁନାବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ। ଆସନ୍ତାକାଲି ମହାପ୍ରଭୁଙ୍କ ଅଧରପଣା। ମଙ୍ଗଳବାର ନୀଳାଦ୍ରିବିଜେରେ ନୀଳକନ୍ଦର ବାହୁଡ଼ିବେ ନୀଳମଣି।












Click it and Unblock the Notifications